ରାଜ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିସହ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରବିବାର ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯.୬ ରେକର୍ଡ଼ କରାଯାଇଥିଲା। ଏହାପଛକୁ ୩୯ ଡିଗ୍ରୀ ସହ ଜଗତ୍ସିଂହପୁର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା। ୧୦ ସହରରେ ପାରଦ ୩୭ ଡିଗ୍ରୀ ଉପରେ ରହିଥିଲାବେଳେ ଦେବଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩୧ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ବାଲେଶ୍ୱରରେ ୨୨ମିମି, ଅନୁଗୋଳ ୦.୬ମିମି, ବାରିପଦା ୬.୨ମିମି, ଦାରିଙ୍ଗିବାଡି ୨.୦ ମିମି ଓ ଦେବଗଡ଼ରେ ୨୯.୪ ମିମି ବର୍ଷା ହୋଇଛି। ତେବେ ସୋମବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା ଥିବାରୁ ୧୬ ଜିଲାକୁ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ରାୟଗଡା, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଆଦି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ପବନ ହେବାର ଆକଳନ କରାଯାଇଛି। ସେହିପରି ଦେବଗଡ, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨ ତାରିଖରେ ଗଜପତି , ମାଲକାନଗିରି , କୋରାପୁଟ, ରାୟଗଡା, କଳାହାଣ୍ଡି , କନ୍ଧମାଳ , ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ ଓ ସମ୍ବଲପୁର ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।