banner
Breaking

କେନ୍ଦ୍ରାପଡ଼ା ଜିଲ୍ଲା ୨ ଦିନିଆ ଗସ୍ତ ଶେଷ କଲେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅପେକ୍ଷା

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ବିକାଶର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗିତ ସଚିବ (୫-ଟି) ଭି.କେ. ପାଣ୍ଡିଆନଙ୍କ ୨ଦିନିଆ ଗସ୍ତ ଶୁକ୍ରବାର ଶେଷ ହୋଇଛି। ପାଣ୍ଡିଆନଙ୍କୁ ଜିଲାବାସୀ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଛନ୍ତି। ସେ ଆଳିର ଲକ୍ଷ୍ମୀବରାହ ଜୀଉ, ରାଜନଗରର କେରଡ଼ାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର, ବାୟାବାବାଙ୍କ ଜନ୍ମସ୍ଥାନ ଆଦି ପରିଦର୍ଶନ କରିଛନ୍ତି। ସାତଭାୟାରେ ସମୁଦ୍ର ତଟକ୍ଷୟ ଯୋଗୁ ଗୁପ୍ତିର ବଗପାଟିଆରେ ହୋଇଥିବା ଥଇଥାନସ୍ଥଳର ସେ ସମୀକ୍ଷା କରିଛନ୍ତି। ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତର ପ୍ରତ୍ୟକ୍ଷ ଦେବୀ ପଞ୍ଚୁବରାହୀ ପୀଠର ଉନ୍ନୟନ ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ପୀଠର ଉନ୍ନତି ପାଇଁ ୨୨ କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ପାଣ୍ଡିଆନ କହିଛନ୍ତି।
ସକାଳ ୬ଟା ୪୦ରେ ଆଳିର ଲକ୍ଷ୍ମୀବରାହ ଜୀଉଙ୍କ ପୀଠରେ ସଚିବ ପାଣ୍ଡିଆନ୍‌ ପହଞ୍ଚତ୍ଥିଲେ। ପୀଠର ଉନ୍ନତି ସମ୍ପର୍କରେ ଆଳି ରାଜା ବ୍ରଜକିଶୋର ଦେବ, ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଫୁଟ୍‌ବଲ ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା ପରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ସମ୍ପର୍କରେ ଅବଗତ ହୋଇଥିଲେ। ମା’ ମଙ୍ଗଳା ଏସ୍‌ଏସ୍‌ଜି ଦ୍ୱାରା ପରିଚାଳିତ କ୍ୟାଣ୍ଟିନରେ ଜଳଖିଆ କରିବା ସହ ଖାଦ୍ୟ ସାମଗ୍ରୀର ବେପାର ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଏଠାରେ ଅନ୍ୟ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ବିଭିନ୍ନ ସଂଘ ପକ୍ଷରୁ ସେତୁ, ଅଡିଟୋରିୟମ, ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆବଶ୍ୟକତା ସମ୍ପର୍କରେ ସ୍ମାରକପତ୍ର ଦିଆଯାଇଥିଲା। ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ସରାସ ଓ ବଡପାଲି ହାଇସ୍କୁଲ ପରିଦର୍ଶନ କରି ସ୍କୁଲର ୫-ଟି ରୂପାନ୍ତରଣ ପରେ ଅନ୍ୟ ସମସ୍ୟା ସମ୍ପର୍କରେ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ମତାମତ ନେଇଥିଲେ। ସାମାଜିକ କର୍ମୀ ବିଧାନ ଦାସ ରାଜକନିକାର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ମୌଳିକ ସମସ୍ୟା ଉପସ୍ଥାପନ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲାପାଳ ଅମୃତ ଋତୁରାଜ, ଏସ୍‌ପି ମଡକର ସମ୍ବିତ ସମ୍ପଦ ସାମିଲ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.