banner
Breaking

ଚନ୍ଦ୍ରଶେଖରପୁରରେ ଫୁଟ ଓଭର ବ୍ରିଜ ନିର୍ମାଣ ହେଉ

0

ଭୁବନେଶ୍ୱର,: ଜୟଦେବ ବିହାର ନନ୍ଦନକାନନ ରାସ୍ତାରେ ଅତ୍ୟଧିକ ଯାନ ବାହାନ ଚଳାଚଳ କରୁଥିବାରୁ ସବୁବେଳେ ଭିଡ ରହୁଛି । ସାଧାରଣ ଲୋକଙ୍କୁ ରାସ୍ତା ପାରହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଟିକେ ଅନ୍ୟ ମନଷ୍କ ହେଲେ ଜୀବନ ଚାଲିଯିବାର ସମ୍ଭାବନା ରହିଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଠାରୁ ଡମଣା ଛକ ମଧ୍ୟରେ ଅନେକ ନୀରିହ ଜୀବନ ରାସ୍ତା ପାର ହେବା ସମୟରେ ଅକାଳରେ ଯାଇ ସାରିଲାଣି । ବରିଷ୍ଠ ନାଗରିକ ମାନେ ରାସ୍ତା ପାର ହେବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିବା ସହିତ ଜଣେ ସାହାରାର ଆବଶ୍ୟକତା କରୁଛନ୍ତି । ତେଣୁ ଚନ୍ଦ୍ରଶେଖରପୁର ଠାରେ ତୁରନ୍ତ ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ବରିଷ୍ଠ ନାଗରିକ ସମାବେଶରେ ମତ ପ୍ରକାଶ ପାଇଛି । ଆଜି ଚନ୍ଦ୍ରଶେଖରପୁର ସ୍ଥିତ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକ ମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହାଡିବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ରାଜ୍ୟ ସଭାପତି ଡଃ ମଧୁମାଧବ ଜେନା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାତ୍ର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ବିଷୟରେ ଆଲୋଚନା କରିଥିଲେ । ବରିଷ୍ଠ ନାଗରିକ ମାନେ କିପରି ଭଲରେ ଜୀବନ ଯାପନ କରି ପାରିବେ ଏବଂ ସେମାନଙ୍କର ସମସ୍ୟା କିପରି ସମାଧାନ ହେବ ସେଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବଂଶୀଧର ନାୟକ ଓ ଅନ୍ୟମାନେ ମତ ରଖିଥିଲେ । ଶେଷରେ ପବିତ୍ର ମୋହନ ପରିଚ୍ଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.