ନୀଳାଦ୍ରି ବିହାର ପୋଲ ତୁରନ୍ତ କରାଯିବା ପାଇଁ ସମୃଦ୍ଧ ଓଡ଼ିଶାର ଧାରଣା
ଭୁବନେଶ୍ବର,୨୧/୪(ବ୍ୟୁରୋ): ଭାରତ ପେଟ୍ରୋଲିୟମ ଛକରୁ ନୀଳାଦ୍ରି ବିହାର ଏଟିଏମ୍ ଛକକୁ ସଂଯୁକ୍ତ କରୁଥିବା ପୁରୁଣା ସେତୁକୁ ଭାଙ୍ଗି ଦିଆ ଯାଇ ରାସ୍ତା ଅବରୋଧ କରିବା ଏବଂ ସେତୁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରାଯାଉଥିବା ପ୍ରତିଵାଦରେ ସମୃଦ ଓଡିଶା ନେତୃତ୍ବରେ , ସ୍ଥାନୀୟ ବାସିନ୍ଦା ତଥା ବରିଷ୍ଠ ନାଗରିକ ସଂଘର ମିଳିତ ସହଯୋଗରେ ସେତୁ ନିକଟରେ ବରିଷ୍ଠ ନାଗରିକ ଶ୍ରୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ , ଶ୍ରୀ ଯୋଗେଶ ଚନ୍ଦ୍ର ନାୟକ ଏବଂ ଶ୍ରୀ ପ୍ରଣବ ଛୋଟରାୟ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ବାସିନ୍ଦାମାନଙ୍କ ସହଯୋଗରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାର ଆୟୋଜନ କରା ଯାଇଅଛି । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାରେ ଶ୍ରୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ ଏହି ପ୍ରମୁଖ ରାସ୍ତାରେ ଅବସ୍ଥିତ ସେତୂକୁ ଅନ୍ୟ କୈାଣସି ବିକଳ୍ପ ବ୍ୟବସ୍ଥା ନକରି ଭାଙ୍ଗି ଦିଆଯିବା ଏବଂ ଏହାର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ଵ କରାଯିବା ଫଳରେ ଏହି ଅଞ୍ଚଳର ଜନସାଧାରଣ ଭୋଗୁଥିବା ଅକଳ୍ପନୀୟ ଦୁର୍ଦ୍ଦଶା ସଂପର୍କରେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ବର୍ଷା ଦିନ ପୂର୍ବରୁ ଏହାକୁ ସମାପ୍ତି କରି ଅଞ୍ଚଳ ବାସିନ୍ଦାମାନଙ୍କର ଯାତାୟତର ପଥ ସୁଗମ କରିବାକୁ ରାସ୍ତା ଓ ନିର୍ମାଣର ନିର୍ବାହୀ ଯନ୍ତ୍ରୀଙ୍କୁ ଅତି ଶୀଘ୍ର ଭେଟି ଜନସାଧାରଣଙ୍କ ପକ୍ଷରୁ ଏକ ଦାଵିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ।
ବିଭିନ୍ନ ବକ୍ତାମାନେ ଏହି ନିର୍ମାଣ କାର୍ଯ୍ୟର ବିଳମ୍ଵକୁ ଆଉ ଅଧିକ ସମୟ ବରଦାସ୍ତ କରାଯାଇ ପାରିବ ନାହିଁ ଓ ଯଦି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରା ନ ଯାଏ , ତେବେ ଜନସାଧାରଣଙ୍କର ଧୈର୍ଯ୍ୟଚ୍ୟୁତି ଘଟିବ , ଯାହାଫଳରେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ମତ ପ୍ରକାଶ ପାଇଥିଲା । ଜନସାଧାରଣଙ୍କର ଯାତାୟତ ସମସ୍ୟାର ସମାଧାନ ପାଇଁ ଯେଉଁ ଅଣ ଓସାରିଆ ଲୈାହ ସେତୁର ବିକଳ୍ପ ବ୍ୟବସ୍ଥା କରାଯାଇଅଛି , ତାହା ଯାତାୟତରେ ସୁବିଧା କରିବା ପରିବର୍ତ୍ତେ ନାନାଦି ଅପ୍ରିତୀକର ପରିସ୍ଥିତି ଏବଂ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଥିବାରୁ ଏଠାରେ ସେହିପରି ଆଉ ଗୋଟିଏ ଲୈାହ ନିର୍ମିତ୍ତ ସେତୂ ଅବିଳମ୍ବେ ନିର୍ମାଣ କରିବାକୁ ସମସ୍ତ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ଉପସ୍ଥାପନ କରା ଯାଉଅଛି । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାରେ , ସର୍ଵଶ୍ରୀ ଗୋଲକ ବିହାରୀ ସିଂହ , ଯୋଗେଶ ଚନ୍ଦ୍ର ନାୟକ , ଦିଲୀପ କୁମାର ମହାପାତ୍ର , ସନାତନ ଦାଶ , ଦୀନବନ୍ଧୁ ଷଡ଼ଙ୍ଗୀ , ଗୁରୁ ଚରଣ ସିଂ , ବୀର କିଶୋର ମିଶ୍ର , ବସନ୍ତ ମଲିକ , ଅଜୟ ମଲିକ , ଅଞ୍ଜନା ସାହୁ , ମଧୂସୁଦନ ବିଶ୍ୱାଳ , ତପନ କୁମାର ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।