ଟାଇମ୍‍ସ ଆୱାର୍ଡ୍‍ସ ଏସିଆ ୨୦୨୧ ପୁରସ୍କାର କିଟ୍‍କୁ ଲିଡରସିପ୍‍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍‍ ଅଫ୍‍ ଦି ଇଅର ପୁରସ୍କାର

ଭୁବନେଶ୍ୱର, ୧୪ ।୧୨: ବିଶ୍ୱସ୍ତରରେ କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ‘ଆୱାର୍ଡ୍‍ସ ଏସିଆ ୨୦୨୧’ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଭାରତ ତଥା ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ଗୌରବର ଅଧିକାରୀ ହୋଇଛି। ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ‘ଲିଡର୍‍ସିପ୍‍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍‍ ଅଫ୍‍ ଦି ଇଅର୍‍’ ଭାବେ ପୁରସ୍କୃତ କରାଯାଇଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ଟାଇମ୍‍ସ ଆୱାର୍ଡ୍‍ସ ଏସିଆ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି। ଗତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ‘ୱାର୍କପ୍ଲେସ୍‍ ଅଫ୍‍ ଦି ଇଅର’ (ବର୍ଷର ଶ୍ରେଷ୍ଠ କାର୍ଯ୍ୟସ୍ଥଳ) କ୍ୟାଟେଗୋରୀରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେ କୌଣସି ଆପତକାଳୀନ ପରିସ୍ଥିତିର ସମ୍‍ନା କରିବା, ଅପହଞ୍ଚଙ୍କ ନିକଟରେ ପହଞ୍ଚିବା ଏବଂ ସମାଜସେବା ବିଶେଷ କରି କୋଭିଡ୍‍ ମହାମାରୀ ସମୟରେ କୋଭିଡ୍‍ ଡାକ୍ତରଖାନା ପ୍ରତିଷ୍ଠା, ସାଧାରଣ ଜନତାଙ୍କୁ ମାସ୍କ, ସାନିଟାଇଜର, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ, ଓଡ଼ିଶାରେ କୋଭିଡ୍‍ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପିଲାଙ୍କୁ ମାଗଣାରେ କିଟରେ ଉଚ୍ଚଶିକ୍ଷା ପ୍ରଦାନ କରିବା, କୋଭିଡରେ ଉଭୟ ବାପା ଓ ମାଆଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଆଦି କାର୍ଯ୍ୟକୁ ଦେଖି ଚଳିତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ମିଳିବା ପରେ କିଟ୍‍ ଓ କିସ୍‍ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏଥିପାଇଁ ସେମାନେ ଏହାର ସମସ୍ତ ଶ୍ରେୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ସମ୍ମାନଜନକ ପୁରସ୍କାର ମିଳିବା ପରେ ଏଥିରେ ଖୁସି ବ୍ୟକ୍ତ କରିବା ସହ ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଛନ୍ତି ସମଗ୍ର ଏସିଆ ମହାଦେଶରୁ କିଟ୍‍ ଏକ ମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ପୁରସ୍କାର ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ କିଟ୍‍ ଓ କିସ୍‍ର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଏ ସବୁ ସମ୍ଭବ ହୋଇ ପାରିଲା ବୋଲି କହିଛନ୍ତି।