banner
Breaking

ପୁଣି ଲଘୁଚାପ, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷିବ

0

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଶନିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ୧୫ ତାରିଖ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳରେ ପହଞ୍ଚତ୍ବ। ପରେ ଏହା ଅବପାତର ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ୧୮ ତାରିଖରେ ଅତିକ୍ରମ କରିବ। ଏହି ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ମଧ୍ୟ ହୋଇପାରେ। ଏହା ପ୍ରଭାବରେ ଆନ୍ଧ୍ର ପ୍ରଦେଶ ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବ ଓ ଉପକୂଳ ଜିଲାଗୁଡ଼ିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୪୦ କି.ମି.ରୁ କମ୍‌ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି। ମତ୍ସ୍ୟଜୀବୀମାନେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ୧୬ରୁ ୧୮ ତାରିଖ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରୁ ୧୭ ଓ ୧୮ତାରିଖରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଶୁକ୍ରବାରରୁ ଶନିବାର ସକାଳ ସାଢ଼େ ୮ଟା ମଧ୍ୟରେ ଛତ୍ରପୁରରେ ସର୍ବାଧିକ ୧୩୭.୬ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପୁରୀ ୧୨୪, ଗୋପାଳପୁର ୧୦୦.୪, ନୟାଗଡ଼ ୮୫, ଦାରିଙ୍ଗବାଡ଼ି ୪୬, ଭୁବନେଶ୍ୱରରେ ୩୩ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଜଗତ୍‌ସିଂହପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବ। ତେବେ ୧୫ ଓ ୧୬ ତାରିଖରେ ବର୍ଷାର ସମ୍ଭାବନା ନାହିଁ। ୧୭ରୁ ୧୮ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବ। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯିବା ସହିତ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ଶନିବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.