ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ): ରାଜଧାନୀରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୮ ଡେଲଟା ସ୍କୋୟାରରେ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଉପରକୁ ୨ ଜଣ ଯୁବକ ଆକ୍ରମଣ କରିଥିବା ଜଣାପଡିଛି। ଯାହାଫଳରେ ସାମ୍ବାଦିକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି।
ଓଡିଆ ଦୈନିକ ଖବର କାଗଜ ‘ସମୟ’ରେ କାମ କରୁଥିବା ଆହତ ସାମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସୂଚନାନୁସାରେ, ବାଇକ୍ରେ ୨ ଜଣ ଯୁବକ ତାଙ୍କ ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଫୋନ୍ ନଦେବାରୁ ଲୁହା ରଡ୍ରେ ତାଙ୍କୁ ଅତି ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଜଣାପଡ଼ିଛି।
ଭଞ୍ଜଙ୍କ ସାନଭାଇ ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ସହ ଭୁବନେଶ୍ୱରରେ କିଛି ସମୟ ହେବ ରହିଆସୁଛନ୍ତି। “ଆଜି ସକାଳେ ତାଙ୍କୁ କିଛି ଦୁବୃର୍ତ୍ତ ନିର୍ଦ୍ଦୟ ଭାବେ ଆକ୍ରମଣ କରିଥିଲେ। ଠିକ୍ ସମୟରେ ଚିକିତ୍ସା କରାଯାଇଥିବାରୁ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ସେ କଥା ହେବାକୁ ସକ୍ଷମ ବୋଲି ସେ କହିଛନ୍ତି।




