banner
Breaking

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ।

0

ପୁରୀ ,୨୬ା୫:ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ସୃଷ୍ଟି ହୋଇ ଯୁଗେ ଯୁଗେ ବିବିଧ ଲୀଳାମାନ ବିସ୍ତାର କରି ପୁନଶ୍ଚ ତାଙ୍କରି ଶ୍ରୀଅଙ୍ଗରେ ବିଲୀନ ହୋଇଥାନ୍ତି। ଏହି ପୌରାଣିକ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିରରେ ଅନେକ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ। ଏହି କ୍ରମ ଅନୁଯାୟୀ, ମଙ୍ଗଳବାର ଶ୍ରୀମନ୍ଦିରରେ ଶ୍ରୀନୃସିଂହଙ୍କ ଜନ୍ମ ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇ ଯାତ ଭୋଗ ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଆଜ୍ଞାମାଳ ପାଇ ଚନ୍ଦନଯାତ୍ରା ନିମନ୍ତେ ଚନ୍ଦନ ଚକଡ଼ାକୁ ବିଜେ କରିଥିଲେ। ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ନୀତି ଶେଷ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ପାଳିଆ ପୂଜାପଣ୍ଡା ଶ୍ରୀଜୀଉଙ୍କ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ୱାର ଦେଇ ଚକ୍ରତୀର୍ଥ ରୋଡସ୍ଥିତ ନୃସିଂହ ମନ୍ଦିରକୁ ଯାଇଥିଲେ। ସେଠାରେ ପ୍ରଭୁ ନୃସିଂହ ଦେବଙ୍କୁ ଆଜ୍ଞାମାଳ ଲାଗି କରାଯିବା ପରେ ପଞ୍ଚ ଉପଚାପରେ ଭୋଗ କରାଯାଇଥିଲା। ସେବାୟତମାନେ ନୀତି ସାରି ଶ୍ରୀମନ୍ଦିରକୁ ଫେରିବା ପରେ ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢିଥିଲା। ତିନିବାଡ଼ରେ ଠାକୁରଙ୍କୁ ପଞ୍ଚାମୃତ ମହାସ୍ନାନ କରାଯାଇଥିଲା। ସର୍ବାଙ୍ଗ ବଢ଼ିବା ପରେ ଠାକୁର ନୂଆ ଲୁଗା ଓ ୬ ମୂର୍ତ୍ତି ଅଳଙ୍କାର ଲାଗିହୋଇଥିଲେ। ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାଜନ ସେବକ ଦକ୍ଷିଣୀଘରୁ ନୃସିଂହ ଠାକୁରଙ୍କୁ ରତ୍ନସିଂହାସନରେ ବିଜେ କରାଇଥିଲେ। ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇ ଥିଲେ। ଅପରପକ୍ଷରେ ମୁକ୍ତିମଣ୍ଡପ ନିକଟ ନୃସିଂହ ମନ୍ଦିରରେ ପତିମହାପାତ୍ର ଓ ମୁକ୍ତିମଣ୍ଡପ ଉପରେ ବିଜେ ନୃସିଂହଙ୍କ ପାଖରେ ପୂଜାପଣ୍ଡା ମହାସ୍ନାନ ପୂଜା କରିଥିଲେ। ଉଭୟଙ୍କ ପାଖରେ ଶୀତଳ ଭୋଗ ମଣୋହି ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇଥିଲା। ନୃସିଂହଙ୍କୁ ମହାଜନ ସେବକ ଝୁଲଣମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥିଲେ। ବିମାନବଡ଼ୁମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାଇଥିଲେ। ସେଠାରେ ବିଭିନ୍ନ ନୀତି ସହ ଭୋଗ ବନ୍ଦାପନା ସରିବା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ମହାପ୍ରଭୁଙ୍କ ଆଲଟ ଲାଗିହୋଇ ଅନ୍ୟ ନୀତି ପରେ ରାତ୍ର ପହୁଡ଼ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.