କୋଭିଡ୍ ୧୯ ପ୍ରଭାବ ସାଧାରଣ ଥଣ୍ଡା ଭଳି ହୋଇଯିବ : ବିଶେଷଜ୍ଞ
ନୂଆଦିଲ୍ଲୀ,୨୨/୫(ବ୍ୟୁରୋ): କୋଭିଡ-୧୯ ମହାମାରୀର କାରଣ ହୋଇଥିବା ନୋଭେଲ କରୋନା ଭୂତାଣୁ ଭବିଷ୍ୟତରେ ସାଧାରଣ ଥଣ୍ଡା, କଫ, କାଶ, ଛିଙ୍କ ଠାରୁ ଆଉ ଅଧିକ ମାରାତ୍ମକ ହୋଇନପାରେ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଜର୍ଣ୍ଣାଲ ଭାଇରସେସରେ ପ୍ରକାଶିତ ଏହି ଗବେଷଣାମୂଳକ ରିପୋର୍ଟରେ ଗାଣିତିକ ମଡେଲକୁ ଭିତ୍ତିକରି ଏକ ଆକଳନ ରିପୋର୍ଟ ଉପସ୍ଥାପନ କରାଯାଇଛି। ଯେଉଁଥିରେ ମଣିଷ ଶରୀରର ରୋଗ ପ୍ରତିରୋଧ କ୍ଷମତା ଉପରେ ସମୟକ୍ରମେ ବର୍ତ୍ତମାନ ମହାମାରୀ ସୃଷ୍ଟି କରୁଥିବା ଭୂତାଣୁର ପ୍ରଭାବ କିଭଳି ରହିବ, ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ସେଥିରେ ଆମେରିକାର ଉଟାହ ବିଶ୍ୱବିଦ୍ୟାଳୟର ଗଣିତ ଓ ଜୈବିକ ବିଜ୍ଞାନର ପ୍ରାଧ୍ୟାପକ ଫ୍ରେଡ ଆଡଲର କହିଛନ୍ତି, ଆଗାମୀ ଦଶନ୍ଧିରେ ଜନସାଧାରଣଙ୍କ ମଧ୍ୟରେ ସାମୂହିକ ଭାବରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଇବା ଦ୍ୱାରା କୋଭିଡ-୧୯ର ମାରାତ୍ମକ ପ୍ରଭାବ ହ୍ରାସ ପାଇପାରେ। ସେ କହିଛନ୍ତି ଯେ ଭୂତାଣୁ ନିଜ ରୂପ ବଦଳାଇବା ଅପେକ୍ଷା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି କିଭଳି କାର୍ଯ୍ୟ କରୁଛି ତାହା ଉପରେ ଏହି ରୋଗର ତୀବ୍ରତା ନିର୍ଭର କରୁଛି। ଋତୁକାଳୀନ କରୋନା ଭୂତାଣୁ ଜନସଂଖ୍ୟାକୁ ଆକ୍ରାନ୍ତ କରୁଥିଲେ ମଧ୍ୟ ସେଗୁଡିକ କମ୍ ବିପଜ୍ଜନକ ହୋଇଥିବାବେଳେ ସେହି ଗୋଷ୍ଠୀର ସାର୍ସ-ସିଓଭି-୨ ସବୁଠାରୁ ମାରାତ୍ମକ ହୋଇଛି। ଗବେଷକମାନେ କହିଛନ୍ତି ଯେ ଶରୀରରେ ଥଣ୍ଡା ସୃଷ୍ଟିକାରୀ ଏହି ଶ୍ରେଣୀର ଏକ ପ୍ରକାର ଭୂତାଣୁ ଉନ୍ନବିଂଶ ଶତାବ୍ଦୀରେ ଭୟଙ୍କର ରୂପ ନେବାସହିତ ‘ରଷିଆନ୍ ଫ୍ଲୁ’ ମହାମାରୀ ସୃଷ୍ଟି କରିଥିବା ପ୍ରମାଣ ରହିଛି। ଆଡଲର କହିଛନ୍ତି, ଏହି ମହାମାରୀ ଆସିବା ପୂର୍ବରୁ ତାହା ସମ୍ପର୍କରେ କେହି ଜାଣିନଥିଲେ। ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ସେଥିପାଇଁ ପ୍ରସ୍ତୁତ ନଥିଲା। ତେବେ ଯେଉଁମାନେ ଏହାଦ୍ୱାରା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି ଅଥବା ଯେଉଁମାନେ ଟିକା ନେଉଛନ୍ତି, ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଇବ ଏବଂ ସମୟକ୍ରମେ ଏହାର ମାରାତ୍ମକ ପ୍ରଭାବ ହ୍ରାସପାଇବ।