ମା ମଙ୍ଗଳା ବସ୍ତିରେ ଆମ୍ବେଦକର ଜୟନ୍ତୀ ପାଳିତ।
ଭୁବନେଶ୍ୱର ୧୫/୪ ସିଆଇଟିୟୁ ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଡ଼ଃ ବି ଆର୍ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଓ ସମ୍ବିଧାନ ବଞ୍ଚାଓ ଦିବସ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।

ସିଆଇଟିୟୁର ଭୁବନେଶ୍ୱର ସାଖା ମୁଖ୍ୟ ସୁରେଶ ରାଉତରାୟଙ୍କ ସଭାପତିତ୍ୱରେ ଅନଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକ ନେତା ସନ୍ତୋଷ ଦାସ କହିଥିଲେ ଯେ ବର୍ତ୍ତମାନ ଚାଲିଥିବା ସମ୍ବିଧାନରେ ଶ୍ରମିକ, କୃଷକ ଓ ଶିକ୍ଷିତ ଯୁବକଙ୍କର ମୌଳିକ ଅଧିକାର ଲୁଣ୍ଠିତ ହେଉଛି । ସାଧାରଣ ଲୋକଟେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହିଁଲେ ତାକୁ ଜେଲ୍ରେ ପୁରାଇ ଦିଆଯାଉଛି । ଗଣତାନ୍ତ୍ରିକ ସମ୍ବିଧାନ ଏବେ ବାହୁବଳୀ ରାଜନୈତିକଙ୍କ କବଜାରେ ରହିଛି । ଏହାକୁ ଆମକୁ ବଞ୍ଚାଇବାକୁ ପଡିବ ଏବଂ ଏଥିପ୍ରତି ସମସ୍ତଙ୍କୁ ସ୍ୱର ଉଠାଇବା ପାଇଁ ପଡିବ ।

ସମ୍ମାନୀତ ଅତିଥି ଭାବେ ଷ୍ଟେଟବ୍ୟାଙ୍କ ଜାତି ଜନଜାତି ଆସୋସିଏସନ୍ର ରାଜ୍ୟ ସାଧାରଣ ସଂପାଦକ ବଂଶୀଧର ସେଠୀ, ବିଶିଷ୍ଟ ସମାଜସେବୀ ଆନନ୍ଦ ଚନ୍ଦ୍ର ପନାୟକ, ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତ, ବସ୍ତିନେତା ସୁରେନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମା ମଙ୍ଗଳା ବସ୍ତିର ମୁଖ୍ୟ ପ୍ରଭାତ କୁମାର ସେଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ହୃଷିକେଶ ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତିର ମୁରବିମାନେ ଓ ମହିଳାମାନେ ଉପସ୍ଥିତ ଥିଲେ ।
