ଭୁବନେଶ୍ବର ,୪/୪(ଓଡ଼ିଆ ନ୍ୟୁଜ): ଷୋଡଶ ବିଧାନସଭାର ଷଷ୍ଠ ତଥା ବଜେଟ ଅଧିବେଶନ ଶନିବାର ସମାପ୍ତ ହୋଇଛି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଏବଂ ଆଉ ୮ଟି ବିଲ୍ ପାରିତ ହୋଇଛି। କୋଭିଡ଼ ମହାମାରୀର ଦ୍ବିତୀୟ ଲହର ରାଜ୍ୟକୁ ଆସିଥିବାରୁ ଏହାକୁ ନେଇ ସରକାରଙ୍କ ପକ୍ଷରୁ ଅଧିବେଶନକୁ ୨ଟି ସରକାରୀ କାର୍ଯ୍ୟଦିବସକୁ ପୂର୍ବରୁ ବନ୍ଦ କରି ଦିଆଯାଇଛି। ୨୬ଦିନ ଧରି ଅନୁଷ୍ଠିତ ଏହି ଅଧିବେଶନରେ ୨୦୭୨ଟି ପ୍ରଶ୍ନ ଆସିଥିବାବେଳେ ୪୪ଟି ମୌଖିକ ପ୍ରଶ୍ନ ଆଲୋଚନା ହୋଇଛି। ୮୭ଟି କାଗଜ ସହ ୧୦ଟି ବିଲ୍ ଉପସ୍ଥାପିତ ହୋଇଛି। ୩ଟି ସଂକଳ୍ପନାମା ଗୃହୀତ ହୋଇଥିବାବେଳେ ୮ଟି ଦାବି ଉପରେ ଗୃହରେ ଆଲୋଚନା ହୋଇଛି। ପୂର୍ବରୁ ୨ଟି ବିଲ୍ ପାରିତ ହୋଇଥିବାବେଳେ ଆଜି ଓଡ଼ିଶା ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ବିଲ୍, ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ଜାଭିୟର ବିଶ୍ୱବିଦ୍ୟାଳୟ ଓଡିଶା ସଂଶୋଧନ ବିଲ୍, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱଦ୍ୟାଳୟ ବିଲ୍, ସମିତି ପଞ୍ଜୀକରଣ ସଂଶୋଧନ ଓ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍ ଭଳି ୬ଟି ବିଲ୍ ପାରିତ ହୋଇଛି। ତେବେ ଆଜି ବିଲ୍ ପାରିତ ବେଳେ ବିରୋଧୀ ବିଜେପି ଅସନ୍ତୋଷ ବ୍ୟକ୍ତ କରି ଚପଲ ଫିଙ୍ଗା ଘଟଣାକୁ ନେଇ ଗୃହରେ ଅନୁପସ୍ଥିତ ଥିବାବେଳେ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରି କକ୍ଷ ତ୍ୟାଗ କରିଥିଲା। ବିନା ବିରୋଧୀରେ ବିଲ୍ ପାରିତ ହୋଇଥିଲା। ତେବେ କୋଭିଡ଼ ମହାମାରୀ ବେଳେ ବଜେଟ ଅଧିବେଶନ ଦୀର୍ଘଦିନ ଧରି ଚାଲିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପରିଷଦ ଓ ସଭ୍ୟଙ୍କ ସହ ବିଧାନସଭା ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଥିଲେ। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ମଧ୍ୟ ଧନ୍ୟବାଦ ଦେଇଥିଲେ।
ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶା ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ସଂଶୋଧନ ବିଲ୍-୨୦୨୧ ଉପସ୍ଥାପନ କରି କହିଥିଲେ ଯେ କରୋନା ମହାମାରୀ ଯୋଗୁଁ ରାଜ୍ୟ ରାଜକୋଷ ଉପରେ ଚଡ଼କ ପଡ଼ିଛି। କରୋନା ମୁକାବିଲା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ବିପୁଳ ପାଣ୍ଠି ଖର୍ଚ୍ଚ କରିଛନ୍ତି। ଏହି ବିଲ୍ ପ୍ରସ୍ତାବ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର ୫ପ୍ରତିଶତ ପର୍ଯ୍ୟନ୍ତ ଋଣ କରିପାରିବେ। ପୂର୍ବରୁ ଏହା ୩.୫ ପ୍ରତିଶତ ଭିତରେ ଥିବାବେଳେ ରାଜ୍ୟ ସରକାର ୩ ପ୍ରତିଶତ ଋଣ କରିଥିଲେ। ଏବେ ଏହି ବିଲ୍ ପାରିତ ହେଲେ ଜିଏସଟି କ୍ଷତିପୂରଣ ବାବଦ ପାଣ୍ଠି ଭରଣା କରିବାକୁ ସ୍ୱତନ୍ତ୍ର ଭାବେ ରାଜ୍ୟ ସରକାର ଋଣ କରିପାରିବେ। ଏହାକୁ ବାଦ େଦଇ ପୁଞ୍ଜି ବ୍ୟୟ ବାବଦକୁ ୫୦ ବର୍ଷ ପାଇଁ ସୁଧ ମୁକ୍ତ ଋଣ ମଧ୍ୟ ଓଡ଼ିଶା ସରକାର ପାଇପାରିବେ। ତେଣୁ ଉକ୍ତ ବିଲ୍ ବିଚାରକୁ ନେବାକୁ ଶ୍ରୀ ପୂଜାରୀ ଗୃହକୁ ଅନୁରୋଧ କରିବା ପରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଲକୁ ପାରିତ କରିଥିଲେ।
ଆଲୋଚନା ବେଳେ ଶାସକ ଦଳର ସଭ୍ୟ ଶଶିଭୂଷଣ ବେହେରା ଓ ଅମର ଶତପଥୀ ଭାଗ ନେଇ କହିଥିଲେ ଯେ ଆର୍ଥିକ ଶୃଙ୍ଖଳା ପାଇଁ ଏହି ବିଲର ବହୁ ଆବଶ୍ୟକତା ରହିଛି। ରାଜ୍ୟରେ କରୋନାର ଦ୍ବିତୀୟ ସଂକ୍ରମଣ େଦଖାେଦଲାଣି। ଅାର୍ଥିକ ପ୍ରସ୍ତୁତିରେ ଏ ବିଲ୍ ବେଶ ସହାୟକ ହେବ। ସେହିଭଳି ଲୋକାୟୁକ୍ତ ସଂଶୋଧନ ବିଲରେ ବ୍ୟବସ୍ଥା ରହିଛି ଯେ, ଓଡ଼ିଶା ଲୋକାୟୁକ୍ତର ଅଧ୍ୟକ୍ଷ କିମ୍ବା ସଦସ୍ୟ ପଦରେ କାର୍ଯ୍ୟକାଳ ସରିବା ପରେ ଜଣେ ବ୍ୟକ୍ତି ରାଜ୍ୟ ବାହାରେ କୌଣସି ନିଯୁକ୍ତି ଗ୍ରହଣ କରିପାରିବେ।
ସେହିପରି ଅାଇନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍ ୨୦୨୧ ବିଲ୍ ଗୃହରେ ଆଣି ବିଚାରକୁ ନେବାକୁ ଅନୁରୋଧ କରିଥିଲେ। ଉକ୍ତ ବିଲ ପାରିତ ହେଲେ ଆଇନଜୀବୀଙ୍କ କଲ୍ୟାଣ ହେବ। ସରକାର ଆଇନଜୀବୀ କଲ୍ୟାଣ ପାଣ୍ଠି ଆଇନ ୧୯୮୭ରେ ସଂଶୋଧନ ଆଣିଛନ୍ତି। ନିୟମ ଅନୁସାରେ ଏହି ପାଣ୍ଠିର ସଦସ୍ୟମାନେ ମୃତ୍ୟୁ, ଅବସର କିମ୍ବା ଶାରୀରିକ କିମ୍ବା ମାନସିକ ଅକ୍ଷମତାରୁ ସ୍ୱେଚ୍ଛାକୃତ ସେବା ନିବୃତ୍ତ ହେଲେ ଆର୍ଥିକ ସହାୟତା ମିଳିଥାଏ। ୫ ବର୍ଷ ଓକିଲାତି କରିଥିଲେ ପ୍ରଥମେ ୧୦ହଜାର ଟଙ୍କାରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଇନଜୀବୀମାନଙ୍କୁ ଏହି ସହାୟତା ଦିଆଯାଉଥିଲା। ଏହାକୁ ସରକାର ପରବର୍ତ୍ତୀ ସମୟରେ ସଂଶୋଧନ କରି ସର୍ବନିମ୍ନ ୪୫ ହଜାର ଏବଂ ସର୍ବାଧିକ ୨ ଲକ୍ଷ ୭୦ ହଜାର ଟଙ୍କା କରିଥିଲେ। ଏବେ ଏଥିରେ ସଂଶୋଧନ କରାଯାଇ ଯଥାକ୍ରମେ ସର୍ବନିମ୍ନ ୭୫ ହଜାର ଓ ସର୍ବାଧିକ ୪ ଲକ୍ଷ ୫୦ ହଜାର ଟଙ୍କା କରାଯାଇଛି।
ଏହି ଅବସରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଗୃହରେ ଅନୁମୋଦନନ ପାଇଥିଲା। ଏଥିରେ ବ୍ୟବସ୍ଥା ରହିଛି ଯେ ଏଣିକି ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷକୁ ହ୍ରାସ ହେବ। ବିପିୟୁଟିରେ ଏଣିକି କୁଳସଚିବ ପଦରେ ଓଡ଼ିଶା ପ୍ରଶାସନିକ ସେବା କ୍ୟାଡରର ଯୁଗ୍ମ ସଚିବ ପାହ୍ୟାର ଅଧିକାରୀମାନେ ରହିବେ। ସେହିଭଳି ପାରିତ ହୋଇଥିବା ସମିତି ପଞ୍ଜୀକରଣ ବିଲରେ ବ୍ୟବସ୍ଥା ରହିଛି ଯେ, ଏଣିକି ପଞ୍ଜିକୃତ ସମବାୟ ସମିତିର ବୈଧତା ୫ ବର୍ଷ ଯାଏ ବଳବତ୍ତର ରହିବ। ସରକାରଙ୍କ ଦ୍ବାରା ଧାର୍ଯ୍ୟ େଦୟ ପ୍ରଦାନ ସହ ପଞ୍ଜିକୃତ ସମବାୟଗୁଡ଼ିକର ନବୀକରଣ ପ୍ରତି ୫ ବର୍ଷରେ କରାଯିବ।




