banner
Breaking

ରାଜଧାନୀରେ ବାହାର ରାଜ୍ୟ ଲୁଟେରାଙ୍କ ରାଜ୍

0

ଭୁବନେଶ୍ୱର,(ବ୍ୟୁରୋ): ଦୀର୍ଘବର୍ଷ ହେବ ସୀମାନ୍ତରେ ଲୁଟ୍‌, ଚୋରି, ଡକାୟତି, ହତ୍ୟା ଆଦି ଅପରାଧ ଘଟାଉଛନ୍ତି ଝାଡ଼ଖଣ୍ଡର ଅପରାଧୀ। ଓଡ଼ିଶା ପୋଲିସର ଶକ୍ତିକୁ ପରଖିବା ପରେ ଏବେ ସେମାନେ ରାଜଧାନୀ ଭୁବନେଶ୍ୱରରେ ରାଜ୍‌ କଲେଣି। ଝାଡ଼ଖଣ୍ଡରୁ ଆସି ଭୁବନେଶ୍ୱରର ଗଳିକନ୍ଦି ବୁଲି ଲୁଟ୍‌ପାଟ କଲେଣି। ଲକ୍‌ଡାଉନ୍‌ ସମୟରେ ଓ ଏବେ ରାଜଧାନୀ ରାଜରାସ୍ତାରେ ଉତ୍ପାତ କରୁଥିବା ଝାଡ଼ଖଣ୍ଡି ଲୁଟେରା ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଲକ୍ଷ୍ମୀସାଗର ଥାନା ପୋଲିସ ଧରିବା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡ ସାହେବଗଞ୍ଜର ଦୀପକ ମୁମାର(୧୯), କାଞ୍ଚନ ନୁନିଆ(୨୬) ଓ ଅଙ୍କିତ କୁମାର ପାଶଓ୍ବାର(୧୯)। ସେମାନଙ୍କ ନିକଟରୁ ୧୦୪ ଚୋରା ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ନଂ.୨/୨୧ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ ପାଇଁ କମିଶନରେଟ ପୋଲିସ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପ୍ରଭାକର ଗୋଏଁଖା ନାମକ ଜଣେ ବ୍ୟକ୍ତି କଳ୍ପନାସ୍ଥିତ ଏକ ମଦ କାଉଣ୍ଟର ନିକଟରେ ଛିଡା ହୋଇଥିଲେ। ଏହି ସମୟରେ କେତେଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ହାତରୁ ଫୋନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ପ୍ରଭାକର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିବା ସହ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଅଭିଯୁକ୍ତମାନେ ସ୍ଥାନୀୟ ଚିନ୍ତାମଣିଶ୍ୱର ଫିସେରି କଲୋନୀରେ ଏକ ଘର ଭଡା ନେଇ ରହୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଉକ୍ତ ଘରେ ଚଢାଉ କରିବା ସହ ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ଯାଞ୍ଚ କରିବାରୁ ଲୁଟ୍‌ ମୋବାଇଲ୍‌ ମିଳିଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସହରର ବିଭିନ୍ନ ସ୍ଥାନରୁ ସେମାନେ ଏସବୁ ଫୋନ ଲୁଟ୍‌ କରିଥିବା କଥା ପୋଲିସ ଆଗରେ ମାନିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.