ଭାରତରେ ପହଞ୍ଚିଲା ରୁଷିଆ କୋଭିଡ ଟୀକା ।
ପୁଣେ: ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାରତରେ ପହଞ୍ଚିଲା ରୁଷ ପ୍ରସ୍ତୁତ କୋଭିଡ଼ ଟୀକା ସ୍ପୁଟନିକ୍ ଭି । ଏହି ଟୀକାକୁ ଚଳିତ ମାସରେ ରୁଷର ଜନସାଧାରଣଙ୍କ ନିମନ୍ତେ ଗଣ ଟୀକାକରଣ କରାଯିବାକୁ ରାଷ୍ଟ୍ରପତି ପୁଟିନ ଘୋଷଣା କରିଛନ୍ତି । ମାତ୍ର ଭାରତରେ ଏହି ଟୀକା କେତେ କାର୍ଯ୍ୟକ୍ଷମ ହେବ ସେ ସମ୍ପର୍କରେ ତର୍ଜମା ଆରମ୍ଭ ହୋଇଛି । ପୁନେ ଡ଼ାକ୍ତରଖାନାରେ ପ୍ରଥମକରି ସ୍ପୁଟନିକ-ଭି ଟୀକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ରବିବାର ୧୭ ଜଣ ସ୍ବେଚ୍ଛାସେବୀଙ୍କୁ ଏହି ଟୀକା ଦିଆଯାଇଥିବା ସୂଚନା ମିଳିଛି ।
ସ୍ପୁଟନିକ-ଭି ଟୀକା ରୁଷର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏପିଡେମୋଲୋଜି ଓ ମାଇକ୍ରୋବାୟୋଲୋଜି ଏବଂ ରୁଷ ସରକାରଙ୍କ ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (RDIF) ଦ୍ୱାରା ବିକଶିତ ହୋଇଛି | ରିପୋର୍ଟ ଅନୁଯାୟୀ ରୁଷରୁ ଭାରତ ପ୍ରାୟ ୧୦୦ ନିୟୁତ ଡ଼ୋଜ ସ୍ପୁଟନିକ୍ -ଭି ଡ଼ୋଜ ଟୀକା କ୍ରୟ କରିଛି । ଏହି ଟୀକା ୫୦ ନିୟୁତ ଲୋକଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରଦାନ କରାଯିବ ।
ପୁନେ ନୋବେଲ ହସ୍ପିଟାଲର କ୍ଲିନିକାଲ୍ ରିସର୍ଚ୍ଚ ବିଭାଗର ମୁଖ୍ୟ ଡ଼ା. ଏସ.କେ.ରାଉତଙ୍କ ସୂଚନା ଅନୁସାରେ ଗତ ୩ ଦିନ ମଧ୍ୟରେ ୧୭ ଜଣ ସୁସ୍ଥ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଛି । ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଦିଆଯାଇଥିବା ଟୀକାର ପ୍ରତିକ୍ରିୟା ପ୍ରତି ସପ୍ତାହରେ ଅନୁଧ୍ୟାନ କରାଯିବ । ଯେଉଁମାନେ ଟୀକା ନେଇଛନ୍ତି ସେମାନଙ୍କର ଆଣ୍ଟିବଡ଼ି ପରୀକ୍ଷା ସହ ଅନ୍ୟାନ୍ୟ କ୍ଲିନିକାଲ ପରୀକ୍ଷା ନିୟମିତ କରାଯିବ ବୋଲି ଡ଼ା. ରାଉତ ସୂଚନା ଦେଇଛନ୍ତି ।