banner
Breaking

ଆଜି ବିଲ୍ବବରଣ। ନିରାଡମ୍ବରେ ପୂଜା ପାଇବେ ମା।

0

ଭୁବନେଶ୍ବର: ଧରାବତରଣ କରିବେ ମା ଦୁର୍ଗତିନାସିନୀ। ଆଜି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ମୃଣ୍ମୟୀ ଦେବୀ ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ସରିଛି। କରୋନା କଟକଣା ମଧ୍ୟରେ ମା’ଙ୍କ ଘଟ ସ୍ଥାପନଠାରୁ ଆରମ୍ଭ କରାଯାଇ ମା’ଙ୍କୁ ଆରଧନା କରାଯିବ।
ପରେ ମା’ଙ୍କ ଚକ୍ଷୁଦାନ ପର୍ବ ଆରମ୍ଭ ହୋମଯଜ୍ଞାଦି କରାଯିବ। ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ମଣ୍ଡପରେ ପୂଜା ପାଇବେ ମା’। କଟକଣା କାରଣରୁ ରାଜଧାନୀର ସମସ୍ତ ପୂଜା କମିଟି ପକ୍ଷରୁ କଳସ ଯାତ୍ରାକୁ ବାଦ୍‌ ଦିଆଯାଇଛି। ଭକ୍ତମାନେ ଏଥର ମା’ଙ୍କ ଦର୍ଶନରୁ ବଞ୍ଚିିତ ହେବେ।ଗତବର୍ଷ ଏହି ସମୟରେ ଚଳଚଞ୍ଚଳ ହେଉଥିଲା ରାଜଧାନୀ। ସମ୍ପୂର୍ଣ୍ଣ ସହରରେ ଲାଗୁଥିଲା ଗହଳି ଚହଳି। ବଜାରରେ ଜମୁଥିଲା ଗ୍ରାହକଙ୍କ ଭିଡ଼। ପୂଜା ମଣ୍ଡପରେ ଶୋଭା ପାଉଥିଲା ବିରାଟ ତୋରଣ। ମା’ଙ୍କ ଆବାହନରେ ଗଗନ ପବନ ପୁଲକିତ ​‌‌ହେଉଥିଲା। ହେଲେ ଏଥର କିନ୍ତୁ ଚିତ୍ର ପୂରା ବଦଳିଯାଇଛି। ନା ଉତ୍ସାହ ଅଛି ନା ପ୍ରସ୍ତୁତି। ସବୁରି ମନରେ କରୋନାର ଭୟ। ପୂଜା ମଉଜରେ ଗ୍ରହଣ ଲଗାଇଛି ମହାମାରୀ। ରାଜଧାନୀରେ ପ୍ରତିବର୍ଷ ୧୮୦ ମଣ୍ଡପ ପୂଜା କରାଯାଉଛି। ଅଧିକାଂଶ ମଣ୍ଡପରେ ମା’ ପୂଜା ପାଉଥିଲେ। ମା’ଙ୍କ ଦର୍ଶନ ଲାଗି ସବୁ ମଣ୍ଡପ ସାମ୍ନାରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିଲା। ଏଥର କିନ୍ତୁ ମା’ଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ରହିବେ। ସୀମିତ ପୂଜକ ଏବଂ କାର୍ଯ୍ୟକର୍ତ୍ତାରେ ପୂଜା କରାଯିବ।

ସହିଦନଗର, ଝାରପଡ଼ା, ବମିଖାଲ, ରସୁଲଗଡ଼, ନୂଆପଲ୍ଲୀ , ପୁରୁଣା ଭୁବନେଶ୍ବର, ଚନ୍ଦ୍ରଶେଖରପୁର, ନୀଳାଦ୍ରି ବିହାର, ଶୈଳଶ୍ରୀବିହାର, ଡିଷ୍ଟ୍ରିଟ ସେଣ୍ଟର, ପଟିଆ, ଡମଣା,ଚକେଇସିଆଣି, ବରମୁଣ୍ଡା, ବରଗଡ଼, ଷ୍ଟେସନବଜାର, ଲକ୍ଷ୍ମୀସାଗର ବ୍ୟବସାୟୀସଂଘ, ଏକନମ୍ବର ହାଟ ପ୍ରଭୃତି ଦୁର୍ଗାପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ମା’ଙ୍କ ଅଳଙ୍କାର ଏବଂ ସାଜସଜ୍ଜାକୁ ନେଇ ପ୍ରତ୍ୟେକ ବର୍ଷ ଲାଗି ରହୁଥିବା ପ୍ରତିଯୋଗିତା ଏଥର ଦେଖିବାକୁ ମିଳିବ ନାହିଁ । ନିରାଡ଼ମ୍ବର ଭାବେ ମା’ଙ୍କ ପୂଜା କରାଯାଉଥିବା ଆୟୋଜନମାନେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.