ବିଧାନସୌଧର କମ୍ପୁଟରୀକରଣ ପ୍ରକ୍ରିୟା ଆରମ୍ଭ।
ଭୁବନେଶ୍ୱର,୯/୧୦(ଓଡ଼ିଆ ନ୍ୟୁଜ): ଓଡ଼ିଶା ବିଧାନସୌଧକୁ କମ୍ପ୍ୟୁଟରୀକରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ତାଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ବିଧାନସୌଧରେ ୱାଇ-ଫାଇ ଲାନ୍ ଓ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟ ସମାପ୍ତ ହୋଇଛି। ଇଣ୍ଟରନେଟ୍ ବେଗ ୧୦୦ଏମବିପିଏସକୁ ବୃଦ୍ଧି କରାଯିବାକୁ ବୈଠକରେ ସ୍ଥିର ହୋଇଛି। ଏସବୁର ରକ୍ଷଣାବେକ୍ଷଣ ଲାଗି ବିଏସଏନଏଲର ୨ଜଣ ଯନ୍ତ୍ରୀ ଯୋଗାଯୋଗରେ ରହିବେ। ବିଧାନସୌଧରେ ଓସ୍ୱାସ୍ କାର୍ଯ୍ୟକ୍ଷମ କରାଇବାକୁ ୩୨୯ଟି ପଏଣ୍ଟରେ ଲାନ୍ ସଂଯୋଗ ଦିଆଯାଇଛି। ବିଧାୟକ ଓ କର୍ମଚାରୀଙ୍କୁ ଖୁବଶୀଘ୍ର ଓସ୍ୱାସ୍ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯିବ। ଏହାର ବୈଷୟିକ ତାଲିମ ପ୍ରଦାନ କାର୍ଯ୍ୟରେ ଓକେସିଏଲ ନିୟୋଜିତ ରହିବ। ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଭିଡ଼ିଓ ୱାଲିଂ ସ୍ଥାପନ ଲାଗି ବ୍ୟୟ ଅଟକଳ କରିବା ଲାଗି ବାଚସ୍ପତି ଶ୍ରୀ ପାତ୍ର ଓକାକର ସାଧାରଣ ପରିଚାଳକଙ୍କୁ ନିର୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏହି କାର୍ଯ୍ୟ କରିବା ଲାଗି ବୈଠକରେ ସ୍ଥିର ହୋଇଛି। ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହିତ ଓକାକ୍ ଏବଂ ଏନଆଇସିର ବରିଷ୍ଠ ଅଧିକାରୀ ସାମିଲ ଥିଲେ।