ରାଜ୍ୟ ସୂଚନା କମିଶନରଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ।
ଭୁବନେଶ୍ୱର’୯/୯(ଓଡ଼ିଆ ନ୍ୟୁଜ):ରାଜ୍ୟ ସୂଚନା କମିଶନର ଭାବେ ବିକ୍ରମ ସେନାପତି ଓ ଦିଲ୍ଲୀପ କୁମାର ବିଶୋଇ ବୁଧବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୂଚନା କମିଶନର ଦ୍ୱୟଙ୍କୁ ଶପଥ ପାଠ କରାଇଛନ୍ତି । ଆଜି ଅପରାହ୍ନରେ ରାଜଭବନର ଅଭିଷେକ ହଲ୍ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା କମିଶନରଙ୍କ ନିଯୁକ୍ତି ସଂପର୍କିତ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ପାଠ କରିବା ପରେ ମାନ୍ୟବର ରାଜ୍ୟପାଳ ନୂତନ କମିଶନର ଦ୍ୱୟଙ୍କୁ ଶପଥ ପାଠ କରାଇଥିଲେ ।
ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ସୁନୀଲ କୁମାର ମିଶ୍ର, ରାଜ୍ୟ ସୂଚନା କମିଶନର ବାଳକୃଷ୍ଣ ପହାପାତ୍ର, ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟପାଳଙ୍କ ଅତିରିକ୍ତ ଶାସନ ସଚିବ ଚିତ୍ତରଞ୍ଜନ ମହାନ୍ତି ଏବଂ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ପିଶ୍ର, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ଅନ୍ୟାନ୍ୟ ବିଶିଷ୍ଟ ଅତିଥିବୃନ୍ଦ, ରାଜ୍ୟପାଳଙ୍କ ସଚିବାଳୟ ତଥା ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।