banner
Breaking

କ°ଗ୍ରେସ ଅଭିଯୋଗକୁ ଖଣ୍ଡନ କଲା ବିଜେଡି।

0

ଭୁବନେଶ୍ୱର,୧୧।୬(ବ୍ୟୁରୋ): କରୋନା ମୁକାବିଲା ପାଇଁ ମାସ୍କ ଅଧିକ ଦରରେ କିଣିବା ଅଭିଯୋଗ ନେଇ ଗୁରୁବାର ଉତ୍ତର ରଖିଛି ବିଜେଡି। ରାଜ୍ୟ ସରକାର କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦର ଅନୁଯାୟୀ ଡାକ୍ତରୀ ଉପକରଣ କିଣିଛନ୍ତି। ମହାମାରୀ ସମୟରେ ଅର୍ଥ ସଞ୍ଚୟ ଅପେକ୍ଷା ଲୋକଙ୍କ ଜୀବନକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଥିଲେ। ଏହାସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ମାସ୍କ ପ୍ରତି ଧାର୍ଯ୍ୟ କରିଥିବା ୧୬ ଟଙ୍କା ଦରଠାରୁ ଅଧିକ ଦାମ୍‌ରେ ମାସ୍କ କିଣିନାହାନ୍ତି ବୋଲି ଗୁରୁବାର ଖବରଦାତା ସମ୍ମିଳନୀରେ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ସେ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ ପ୍ରଡକ୍ସନ କଷ୍ଟ ବଢ଼ିଥିବାରୁ ରେଟ୍‌ ବଢ଼ିଥିଲା। ସାରା ଭାରତରେ ମାସ୍କ ଡିମାଣ୍ଡ ବଢ଼ିବାରୁ ଦର ମଧ୍ୟ ବଢ଼ିଥିଲା। ସ୍ବାସ୍ଥ୍ୟ ବିଭାଗ ଟେକ୍ନିକାଲ କମିଟି ୫ କୋଟି ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲା। ଲକ୍‌ଡାଉନ୍‌ ପାଇଁ କଞ୍ଚାମାଲ ଅଭାବ ପଡ଼ିବାରୁ ଦର ବଢ଼ିଥିଲା। ପ୍ରଥମେ କେନ୍ଦ୍ର ସରକାର ଗୋଟିଏ ମାସ୍କକୁ ୧୦ଟଙ୍କା ଦର ଧାର୍ଯ୍ୟ କରିଥିଲେ। ଏହି ସମୟରେ ଆବଶ୍ୟକତା ଦୃଷ୍ଟିରୁ କେବଳ ଓଡ଼ିଶା ନୁହେଁ ମହାରାଷ୍ଟ୍ର ୧୬ ଟଙ୍କା ଦରରେ ମାସ୍କ କିଣିଥିବା ବେଳେ କେରଳ ୧୬ ଟଙ୍କା, ଗୁଜରାଟ ୨୦ ଟଙ୍କା, କର୍ଣ୍ଣାଟକ-ପଶ୍ଚିମବଙ୍ଗ ୧୮ ଟଙ୍କା ୭୪ ପଇସା, ତାମିଲନାଡ଼ୁ ୧୫ ଟଙ୍କା ୯୬ ପଇସା ଦରରେ ମାସ୍କ କିଣିଛନ୍ତି। ପରେ କେନ୍ଦ୍ର ଧାର୍ଯ୍ୟ କରିଥିବା ୧୦ଟଙ୍କାରେ କେହି ରାଜି ନ ହେବାରୁ ୧୬ଟଙ୍କା କରିଥିଲେ। ଏହି ୧୬ଟଙ୍କାରୁ ଟଙ୍କାଟିଏ ବି ଅଧିକ ଦେଇନାହିଁ ଓଡ଼ିଶା। ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ରହିଛି। ମାସ୍କ ପାଇଁ ଟଙ୍କାଏ, ଆଠଣା ଗଣିବା ନା ଲୋକଙ୍କ ଜୀବନ ବଞ୍ଚାଇବା। ତୁରନ୍ତ ଯଦି ଓଡ଼ିଶାକୁ ମାସ୍କ ଆସି ନ ଥାନ୍ତା ତେବେ ମୃତ୍ୟୁହାର ବଢ଼ିଯାଇଥାନ୍ତା। ହେଲେ ମାସ୍କ ନେଇ କଂଗ୍ରେସ ଯେଉଁ ଅପପ୍ରଚାର ଚଳାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏବେ ଯେଉଁମାନେ ମାସ୍କ କିଣା ନେଇ ଚିତ୍କାର ଏବେ କରୁଛନ୍ତି, ସେମାନେ କିଣା ଯାଇ ନ ଥିଲେ ଲୁହ ଗଡ଼ାଇଥାନ୍ତେ। ଏଣୁ ବିରୋଧିଙ୍କ ମିଛ ଓ ମନଗଢ଼ା ଖବର ପ୍ରସାରିତ ହେବାକୁ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଉଛନ୍ତି। ଯଦି ବିରୋଧୀଙ୍କ ପାଖରେ କିଛି ପ୍ରମାଣ ଅଛି ସେମାନେ ଅଦାଲତ ଯାଇପାରିବେ ବୋଲି ସସ୍ମିତ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.