banner
Breaking

ମୋ ସରକାରେ ସାମିଲ ହେଲା ଶ୍ରମ ବିଭାଗ।

0

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ମୋ ସରକାରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ସାମିଲ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାରରେ ସାମିଲ ହେବା ପରେ ପ୍ରତ୍ୟେକ ଶ୍ରମିକ ଏହି କାର୍ଯ୍ୟାଳୟକୁ ଆସି ସୁଖଦ ଅନୁଭୂତି ନେଇ ଯିବେ। ବିଭିନ୍ନ ସ୍ତରରେ ଶ୍ରମିକମାନଙ୍କୁ ସଶକ୍ତ କରିବା ଦିଗରେ ଏହା ସହାୟକ ହେବ। ରାଜ୍ୟ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସକୁ ଦୃଢୀଭୂତ କରିବାରେ ମୋ ସରକାର ଏକ ମାଇଲଖୁଣ୍ଟ ଭାବେ କାର୍ଯ୍ୟ କରିବ। ସରକାରଙ୍କ ଏହି ନୂତନ ଉତ୍ତରଦାୟିତ୍ୱ ମଡେଲରେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଜନସାଧାରଣଙ୍କର ବିକାଶ ଧାରାରେ ଶ୍ରମିକମାନେ ହେଉଛନ୍ତି ଏକ ମୁଖଶାଳା। ସେମାନଙ୍କର ଜୀବନ ସଂଘର୍ଷରେ ସମାଜ ସହାୟତାର ହାତ ବଢାଇବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ହେଉଛି ଏକ ଯୁଗାନ୍ତକାରୀ ଯୋଜନା। ଯାହାକି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଆସୁଛି। ନିୟୁତ ନିୟୁତ ଶ୍ରମିକଙ୍କୁ ଶିକ୍ଷା, ବିବାହ ଏବଂ ମାତୃତ୍ୱ ସହାୟତା ଯୋଗାଇ ଆସୁଛି। ମୋ ସରକାର ବିଭାଗର ବ୍ୟବସ୍ଥାକୁ ଆହୁରି ସୁଦୃଢ ଓ ପେସାଦାର କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ପ୍ରତ୍ୟେକ ଶ୍ରମିକ ନିଜର ସ୍ବାଭିମାନ ଅନୁଭବ କରି ପାରିବେ। ସରକାରୀ କାର୍ଯ୍ୟାଳୟକୁ ଆସି ସେମାନେ ଯେପରି ସୁଖଦ ଅନୁଭୂତି ନେଇ ଫେରିବେ ସେ ନେଇ ବିଭାଗ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ, ମୋ ସରକାର ସରକାରୀ କର୍ମଚାରୀଙ୍କୁ ଦୃଢ଼ ଭାବେ ବାଛିବାରେ ସହାୟକ ହୋଇଛି। ପ୍ରତ୍ୟେକ ଅଧିକାରୀ ଏହି ଉଦ୍ୟମରେ ସଫଳ ମଧ୍ୟ ହୋଇଛନ୍ତି। ସରକାର ମଧ୍ୟ ଏହି ଯୋଜନାରେ ଜନସାଧାରଣଙ୍କ ଠାରୁ ଉତ୍ତମ ପରାମର୍ଶ ପାଇ ପାରିଛନ୍ତି। ୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି ଅବସରରେ ନୂଆପଡ଼ା, ବରଗଡ଼, ସମ୍ବଲପୁର, ଜଗତ୍‌ସିଂହପୁର, ଗଜପତି ଏବଂ କଳାହାଣ୍ଡି ଜିଲାର ଜିଲା ଶ୍ରମ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ସମସ୍ତ ଅଧିକାରୀ ମୋ ସରକାର ବିଷୟରେ ଭଲ ଭାବେ ଅବଗତ ଅଛନ୍ତି। ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବା ବିଭିନ୍ନ ବିଭାଗର କର୍ମଚାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। କାରଖାନା ଓ ବାଷ୍ପିତ୍ର ବିଭାଗ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.