banner
Breaking

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସିଲା ନୂଆ ନିୟମ

0

ଭୁବନେଶ୍ୱର : ସିଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ପରୀକ୍ଷାକୁ କଡ଼ାକଡ଼ି କରିବା ପାଇଁ ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ପ୍ରଶ୍ନପତ୍ରରେ କୌଣସି ପରୀକ୍ଷାର୍ଥୀ ଚିହ୍ନ ମାରିପାରିବେ ନାହିଁ। କେବଳ ପ୍ରଶ୍ନ ପଢ଼ିବେ ଏବଂ ଉତ୍ତରଖାତାରେ ଯାହା ଉତ୍ତର ଲେଖିବେ। ଯଦି ଛାତ୍ରୀଛାତ୍ର ପ୍ରଶ୍ନପତ୍ରରେ କିଛି ଲେଖିଲେ ବା ଚିହ୍ନ ମାରିଲେ, ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍‌ପି କରାଯିବ। ଏଥିସହିତ ପରୀକ୍ଷା ଶେଷ ହେବା ପୂର୍ବରୁ ପରୀକ୍ଷା କେନ୍ଦ୍ର ଛାଡ଼ିଲେ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ନିୟମ କରାଯାଇଛି। ସକାଳ ୯ଟା ୩୦ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବ। ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ୩୦ମିନିଟ ପୂର୍ବରୁ ଛାତ୍ରୀଛାତ୍ର ହଲ୍‌ରେ ବସିବେ। ୧୦ଟାରେ ପ୍ରଶ୍ନପତ୍ର ବଣ୍ଟାଯିବ। ୧୫ ମିନଟ୍‌ ମଧ୍ୟରେ ବଳକା ପ୍ରଶ୍ନପତ୍ର ସିଲ୍‌ କରାଯିବ। ୧୦ଟା ୩୦ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ଉତ୍ତରଖାତାର ବଳକା ଫର୍ଦ୍ଦରେ କ୍ରସ୍‌ ମାର୍କ କରିବାକୁ ନିର୍ଦ୍ଦେଶ ରହିଛି।

ଚଳିତବର୍ଷ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷା ଦାୟିତ୍ୱରେ ଥିବା ଅଧ୍ୟାପକମାନେ ମଧ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ବାଡ୍‌ ମେମ୍ବର, ଜିଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବେ। ପ୍ରଶ୍ନପତ୍ର ଓ ଉତ୍ତରଖାତା ଲାଗି ୨୦୨ଟି ହବ୍‌ କେନ୍ଦ୍ର ବ୍ୟବସ୍ଥା ହୋଇଛି। ପରୀକ୍ଷା ଶେଷ ହେବା ପରେ ସେହିଦିନ ସନ୍ଧ୍ୟା ସୁଦ୍ଧା ପରୀକ୍ଷା କେନ୍ଦ୍ରରୁ ଉତ୍ତରଖାତା ସୁରକ୍ଷିତ ଭାବେ ନିଆଯାଇ ହବ୍‌ କେନ୍ଦ୍ରରେ ରଖାଯିବ। ତେବେ ଯେଉଁ ପରୀକ୍ଷାକେନ୍ଦ୍ରଗୁଡ଼ିକ ହବ୍‌ ସେଣ୍ଟରଠାରୁ ୧୦୦କିମିରୁ ଦୂରରେ ରହିଥିବ କିମ୍ବା ସେପରି କିଛି ପରିସ୍ଥିତି ସୃଷ୍ଟି ହେଲା, ତାହା ହେଲେ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବଳୟରେ ସମସ୍ତ ଉତ୍ତର ଖାତା ରଖାଯିବ। ୨୪ଘଣ୍ଟା ମଧ୍ୟରେ ହବ୍‌ରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.