banner
Breaking

ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

0

ଭୁବନେଶ୍ୱର,୧।୨ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ରମାନେ ଲାବ୍‌ ମଧ୍ୟକୁ ପ୍ରବେଶ କରିବେ। ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ସିଟିଂ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନରେ ଫିଜିକ୍ସ, ବଟାନି, ଜୁଲୋଜି, କେମିଷ୍ଟ୍ରି ଆଦି ବିଷୟରେ ପରୀକ୍ଷା ହେବ। ସେହିପରି ବାଣିଜ୍ୟରେ ଆକାଉଣ୍ଟାନ୍‌ସି, ବିଏମ୍‌ଏସ୍‌, କଷ୍ଟ ଆକାଉଣ୍ଟିଂରେ ପ୍ରାକ୍ଟିକାଲ ହେବ। କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲୋଜି, ଜିଓଗ୍ରାଫି, ଇଣ୍ଡିଆନ୍‌ ମ୍ୟୁଜିକ୍‌, ଏଜୁକେଶନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ହେବ।
ସୂଚନାଯୋଗ୍ୟ, ୧ରୁ ୧୦ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ସୁବିଧା ଅନୁସାରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରିବେ। ପ୍ରାକ୍ଟିକାଲ ପରୀକ୍ଷା ସରିବା ପରେ ୧୭ ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତର ଖାତା ଏବଂ ମାର୍କ ସିଏଚ୍‌ଏସ୍‌ଇରେ କଲେଜ କର୍ତ୍ତୃପକ୍ଷ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଥିଓରି ପରୀକ୍ଷାରେ କିଭଳି ପ୍ରଶ୍ନପତ୍ର ଆସିବ ବୋଲି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଥିବାବେଳେ ପରିଷଦ ପକ୍ଷରୁ ପୁଣିଥରେ ପ୍ରଶ୍ନପତ୍ର ଢାଞ୍ଚା ପଠାଯାଇଛି। ରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ସମ୍ପୂର୍ଣ୍ଣ ସିଲାବସ୍‌ ଏବଂ ଏକ୍ସରେଗୁଲାର (୨୦୨୦ ପୂର୍ବରୁ ପଞ୍ଜୀକୃତ) ଛାତ୍ରୀଛାତ୍ରଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ ଅନୁଯାୟୀ ପ୍ରଶ୍ନ ଆସିବ। କେଉଁ ବିଷୟରେ କିଭଳି ପ୍ରଶ୍ନ ଆସିବ ଏବଂ କେତେ ମାର୍କ ଆସିବ ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.