banner
Breaking

ଦଶମ ଶ୍ରେଣୀ ମାର୍କ ଅପଲୋଡ଼ ଆରମ୍ଭ। ଜୁଲାଇରେ ପରୀକ୍ଷା ଫଳ।

0

କଟକ ,୨୯।୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବ୍‌ସାଇଟରେ ଶନିବାରଠାରୁ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପାଇଁ ମାର୍କ ଅପ୍‌ଲୋଡ୍‌ କାର୍ଯ୍ୟ ଆରମ୍ଭ ହେବ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୱେବ୍‌ସାଇଟ୍‌ରେ ଲିଙ୍କ୍‌ ଉପଲବ୍ଧ ରହିବ। ଏହି ସମୟରେ ଛାତ୍ରୀଛାତ୍ରମାନଙ୍କ ମାର୍କ ଅପ୍‌ଲୋଡ୍‌ କରାଯିବ। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ନିଜ ସ୍କୁଲ ସହିତ ସଂଶ୍ଳିଷ୍ଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରୀଛାତ୍ରଙ୍କ ମାର୍କ ଅପ୍‌ଲୋଡ୍‌ କରିବେ। ଜଣେ ପିଲାଙ୍କ ମାର୍କ ଅପ୍‌ଲୋଡ୍‌ କରିବା ପରେ ମେଣ୍ଟର ସ୍କୁଲ ପ୍ରଧାନ ଶିକ୍ଷକ ସେଭ୍‌ ବଟନ୍‌ ମାରିବେ। ଉକ୍ତ ପିଲାର ମାର୍କ ସେଭ୍‌ ହେବା ପରେ ତାହାକୁ ଅନ୍ୟଜଣେ ଶିକ୍ଷକ ଯାଞ୍ଚ କରି ଅପ୍‌ଡେଟ୍‌ ବଟନ୍‌ ମାରିବେ। ମେଣ୍ଟର ସ୍କୁଲ କର୍ତ୍ତୃପକ୍ଷ ମାର୍କ ଅପ୍‌ଲୋଡ ଭଲଭାବରେ ଯାଞ୍ଚ କରିବା ପରେ ଫାଇନାଲ୍‌ ସବ୍‌ମିସନ୍‌ ବଟନ୍‌ ମାରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଛାତ୍ରୀଛାତ୍ରଙ୍କୁ କୌଣସି ବିଷୟରେ ମାର୍କ ଦିଆଯାଇନାହିଁ ତା’ହେଲେ ସେମାନେ ‘ଏବିଏସ୍‌’ ଲେଖି ଦାଖଲ କରିପାରିବେ। ଆସନ୍ତା ଜୁନ୍‌ ୭ ପର୍ଯ୍ୟନ୍ତ ଏହି ମାର୍କ ଅପ୍‌ଲୋଡ କରାଯିବ। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ସମେତ ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ, ଚତୁର୍ଥ ପ୍ରାକ୍ଟିସ୍‌ ପରୀକ୍ଷାର ସର୍ବାଧିକ ନମ୍ବରକୁ ଅପ୍‌ଲୋଡ୍‌ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାର୍କ ଅପଲୋଡିଂ ସମ୍ପୂର୍ଣ୍ଣ ଗୋପନୀୟତାର ସହ କରିବାକୁ ବୋର୍ଡ ପକ୍ଷରୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍କ ଅପ୍‌ଲୋଡ୍‌ ସଂକ୍ରାନ୍ତ ସମସ୍ତ ସୂଚନା ଓ ନିର୍ଦ୍ଦେଶାବଳୀ ବୋର୍ଡର ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ଉପଲବ୍ଧ ହେବ। ଆସନ୍ତା ଜୁଲାଇରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.