ଭାରତ ଆସିଲା ରାଫେଲ୍ ବିମାନ।

ନୂଆଦିଲ୍ଲୀ,(ବ୍ୟୁରୋ): ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହୋଇଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ ପରେ ବୁଧବାର ବିମାନଗୁଡ଼ିକ ଆସି ଭାରତର ଅମ୍ବାଲା ବିମାନଘାଟିରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ବିମାନ ଭାରତକୁ ମିଳିବ। ବାୟୁସେନାର ପାଇଲଟ୍‌ମାନେ ଏହି ବିମାନ ଫ୍ରାନ୍ସରୁ ଆଣି ଭାରତ ଆସିବେ। ବାଟରେ କେବଳ ଇନ୍ଧନ ଭରିବା ଲାଗି ବିମାନଗୁଡ଼ିକ ୟୁନାଇଟେଡ୍‌ ଆରବ ଏମିରେଟ୍‌ସର ଅଲ୍‌ ଧାଫରା ବିମାନଘାଟିରେ ଅବତରଣ କରିବେ ବୋଲି ସୂଚନା ମିଳିଛି।

ଚୀନ ସହିତ ସୀମା ବିବାଦକୁ ଦୃଷ୍ଟିରେ ରଖି ଭାରତ ଏଲଏସିରେ ରାଫେଲ ଲଢ଼ୁଆ ବିମାନ ମୁତୟନ କରିବ ବୋଲି କୁହାଯାଉଛି। ଭାରତ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ୨୦୧୬ରେ ଫ୍ରାନ୍ସ ସହିତ  ଚୁକ୍ତି କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ବିମାନ ଭାରତ ଆସିବ। ବର୍ତ୍ତମାନ ସୁଦ୍ଧା ବାୟୁସେନାର ୧୨ ପାଇଲଟ୍‌ ରାଫେଲ ଉଡ଼ାଇବା ଲାଗି ଫ୍ରାନ୍ସରେ ପ୍ରଶିକ୍ଷଣ ନେଇସାରିଛନ୍ତି। ଆଉ କେତେଜଣ ପାଇଲଟ୍‌ଙ୍କ ପ୍ରଶିକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।