banner
Breaking

ବାହାନ ଡାଟା ବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର l କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ।

0

ନୂଆଦିଲ୍ଲୀ: ଲୋକଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ।

ନାଗରିକଙ୍କ ସୁବିଧା ପାଇଁ ସମସ୍ତ ତଥ୍ୟ ଏମ୍‌-ପରିବହନ ଏବଂ ଇ-ଚାଲାଣ ଭଳି ପ୍ଲାଟଫର୍ମରେ ଉପଲବ୍ଧ ହେବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏବେ ଇଣ୍ଟରନେଟ୍‌ରେ କେବଳ ଗାଡ଼ିର ସମସ୍ତ ତଥ୍ୟ ଆସୁଛି। ହେଲେ ପ୍ରଦୂଷଣ ଯାଞ୍ଚ ସମ୍ପର୍କରେ କୌଣସି ତଥ୍ୟ ଉପଲବ୍ଧ ହେଉନାହିଁ। ଏହି କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ଇ-ପ୍ଲାଟଫର୍ମରେ ସମସ୍ତ ତଥ୍ୟ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

ବର୍ତ୍ତମାନ ଦେଶରେ ମୋଟର ଯାନ(ସଂଶୋଧନ) ଆଇନ ୨୦୧୯ ଲାଗୁ ହୋଇଛି। ପ୍ରଦୂଷଣ ମାନକର ଉଲ୍ଲଙ୍ଘନ ପାଇଁ ସଂଶୋଧିତ ଜୋରିମାନା ମଧ୍ୟ ଆଦାୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ଭିତ୍ତିରେ ଉପରୋକ୍ତ ପଦକ୍ଷେପ ନେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ର ନିୟମ ୧୧୫ରେ ସଂଶୋଧନ ପାଇଁ ୦୬.୦୬.୨୦୧୮ରେ ଏକ ବିଜ୍ଞପ୍ତି- ଜିଏସଆର ୫୨୭ (ଇ) ଜାରି କରାଯାଇଥିଲା।

ବାହାନ ଡାଟା ବେସରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ସଂଯୋଗ କରିବା ଲାଗି ଏଥିରେ କୁହାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ବାହାନ ଡାଟାବେସରେ ବୈଦ୍ୟୁତିକ ମାଧ୍ୟମରେ ପ୍ରଦୂଷଣ ଯାଞ୍ଚ ତଥ୍ୟ ଅପଲୋଡ କରିବା ଲାଗି ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର(ପିୟୁସି) ଗୁଡ଼ିକୁ କହିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.