banner
Breaking

ଫୁଲବାଣୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ।

0

ଭୁବନେଶ୍ୱର,୩।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି. କେ. ପାଣ୍ଡିଆନ ଏବଂ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାରଙ୍କ ସମେତ ଏକ ଉଚ୍ଚସ୍ତରୀୟ ଟିମ୍‌ ଶୁକ୍ରବାର କନ୍ଧମାଳ ଗସ୍ତ କରି ପ୍ରସ୍ତାବିତ ଫୁଲବାଣୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।
୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଫୁଲବାଣୀରେ ଏକ ମେଡିକାଲ କଲେଜ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ୧୦୦ ସିଟ୍‌ ରହିବା ସହ ୫୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ୩୦ ମାସରେ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ହସ୍ପିଟାଲ ନିର୍ମାଣ ପାଇଁ ୪୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଆବଶ୍ୟକ ନିର୍ମାଣ ସାମଗ୍ରୀ ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ନିକଟସ୍ଥ ପାହାଡ଼ରେ ବୃକ୍ଷରୋପଣ କରିବା ସହ ଡ୍ରେନ୍‌ ଓ ଜଳ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିଭାଗକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ରୋଗୀଙ୍କ ସହ ଆସୁଥିବା ଆଟେଣ୍ଡାଣ୍ଟମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ୫-ଟି ସଚିବ ପରାମର୍ଶ ଦେଇଛନ୍ତି। ଡାକ୍ତରଖାନା ପରିସରରେ ରହୁଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ପାଇଁ ଉପଯୁକ୍ତ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ସେମାନଙ୍କ ପରିବାର ପାଇଁ ଅବସର ବିନୋଦନ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମର ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଜାତୀୟ ରାଜପଥ ନିକଟରେ ଥିବାରୁ ଦୁର୍ଘଟଣା ଏଡ଼ାଇବା ପାଇଁ ଟ୍ରାଫିକ୍‌ ସମସ୍ୟା ଦୂର କରିବା ଏବଂ ଅଟୋ ଓ ଟ୍ୟାକ୍ସି ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି।
ହସ୍ପିଟାଲ ପରିସରରେ ୩୦୦ ବେଡ୍‌ର ଏକ ଛାତ୍ରାବାସ, ୧୫୦ ସିଟ୍‌ର ଏକ ଛାତ୍ରୀ ନିବାସ, ୬୫୦ କ୍ଷମତା ବିଶିଷ୍ଟ ଅଡିଟୋରିୟମ, ୧୦୦ ସିଟ୍‌ ବିଶିଷ୍ଟ ଆବାସିକ ଡାକ୍ତର ନିବାସ ଏବଂ ଡାକ୍ତର ଓ ନର୍ସମାନଙ୍କ ରହଣି ପାଇଁ କ୍ୱାର୍ଟର୍ସ ନିର୍ମାଣ କରାଯିବ। ଉଚ୍ଚସ୍ତରୀୟ ଟିମ୍‌ ଏଜେଓ ସରକାରୀ ହାଇସ୍କୁଲ ଏବଂ ସରକାରୀ ବାଳିକା ହାଇସ୍କୁଲକୁ ବୁଲି ଯାଇଥିଲେ। ମୋ ସ୍କୁଲ ଅଭିଯାନରେ ଉଭୟ ହାଇସ୍କୁଲକୁ ଟ୍ରାନ୍ସଫରମେଟିଭ ଇନିସିଏଟିଭ୍‌ରେ ଚୟନ କରାଯାଇଛି। ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ସ୍କୁଲର ଶିକ୍ଷକ, ପୁରାତନ ଛାତ୍ର, ସ୍କୁଲ ମ୍ୟାନେଜମେଣ୍ଟ କମିଟି ଏବଂ ଛାତ୍ରୀଛାତ୍ରମାନଙ୍କ ସହ ଭାବବିନିମୟ କରିଥିଲେ। ସେମାନଙ୍କ ମତାମତ ଗ୍ରହଣ କରି ସ୍କୁଲର ସ୍ମାର୍ଟ କ୍ଲାସ୍‌ରୁମ୍‌, ଲାଇବ୍ରେରୀ, ଭିତ୍ତିଭୂମି ଉନ୍ନୟନ, କ୍ରୀଡ଼ା ସୁବିଧାର ବିକାଶ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଜିଲାପାଳ ଏବଂ ଏସ୍‌ପି ଜିଲାର ବିଭିନ୍ନ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ। କୋଭିଡ୍‌ ପରିସ୍ଥିତିକୁ ଦେଖି ସତର୍କ ରହିବା ସହ ସ୍କୁଲରେ କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି, ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବିଶ୍ୱରଞ୍ଜନ ନାୟକ, ଏସ୍‌ପି ଭିନିତ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ।
ଉଚ୍ଚସ୍ତରୀୟ ଟିମ୍‌ ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ବିମାନରେ ଆସି ଗୁଦାରୀସ୍ଥିତ ଏୟାରଷ୍ଟ୍ରିପ୍‌ରେ ଓହ୍ଲାଇଥିଲେ। ସେଠାରୁ କାର ଯୋଗେ ଆସି ଫୁଲବାଣୀ ସହରଠାରୁ ୩/୪ କିମି ଦୂର ତିଲକପଡ଼ା ନିକଟରେ ପ୍ରସ୍ତାବିତ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.