banner
Breaking

ପୁଣି ବେକ କଟିଲା ସାଇକୋ କିଲର୍

0

ଭୁବନେଶ୍ବର,୨୯।୭(ଓଡ଼ିଆ ନ୍ୟୁଜ):ରବିବାର ରାତିରେ କଟକରେ ପୁଣି ଜଣେ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ପୂର୍ବ ହତ୍ୟାକାଣ୍ଡ ଭଳି ମହିଳାଙ୍କ ବେକକୁ କାଟି ଦିଆଯାଇଛି। ସେ ହେଲେ ମାଲଗୋଦାମ ଥାନା ଅନ୍ତର୍ଗତ ମହ୍ଲାସାହି ଅଞ୍ଚଳରେ ରହୁଥିବା ସନ୍ଧ୍ୟା ତରାଇ(୨୮)। ରାତି ପ୍ରାୟ ୧୧ ଟାରେ ସନ୍ଧ୍ୟାଙ୍କ ଘରେ ପଶି କେହି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଫଳରେ ଚିକିତ୍ସାଲାଗି ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ କଟକ ସହରରେ ଆତଙ୍କ ଖେଳିଯାଇଛି। ସହରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ସନ୍ଧ୍ୟାଙ୍କ କହିବା ଅନୁଯାୟୀ, ସେ ଘରେ ଥିବାବେଳେ କେହି ଜଣେ ବ୍ୟକ୍ତି ତାଙ୍କୁ ଡାକିଥିଲେ। କିଏ ବୋଲି ପଚାରିବାରୁ କିଛି ଉତ୍ତର ମିଳି ନ ଥିଲା। ଫଳରେ ସନ୍ଧ୍ୟା ଝରକା ପାଖକୁ ଦେଖିବାକୁ ଯାଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନି ପାରି ନ ଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ଝରକାରେ ହାତ ଗଳାଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକମାନେ ଆକ୍ରମଣକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଆକ୍ରମଣକାରୀ ଖସି ପଳାଇଥିଲେ। ଖବରପାଇ ମାଲଗୋଦାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ପାଇ ନ ଥିଲେ। ଏ ନେଇ ସନ୍ଧ୍ୟା ମାଲଗୋଦାମ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣକାରୀ କିଏ, ପୂର୍ବ ହତ୍ୟାକାଣ୍ଡ ସହ ତାଙ୍କର ସମ୍ପୃକ୍ତି ଅଛି କି ନାହିଁ, କି ସେ ଲୁଟ୍‌ ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ ଏଭଳି କେତେକ ଦିଗ ଉପରେ ପୋଲିସ ତଦନ୍ତ ଜାରି ରଖିଛି। ଏହି ଆକ୍ରମଣ ପରେ ସହରରେ ପାଟ୍ରୋଲିଂ ବ୍ୟବସ୍ଥା ଆହୁରି କଡାକଡି କରାଯାଇଛି। ପ୍ରତି ଛକରେ ପୋଲିସ ମୁତୟନ କରାଯାଇଛି। ଏନେଇ କଟକ ବିଧାୟକ ପୋଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.