ଆଜିଠୁ ଲାଗିଲା ଅଙ୍କୁଶ: ଏକକାଳୀନ ୫ରୁ ଊର୍ଧ୍ୱ ଚାଟ୍‌ବକ୍ସରେ ପଠାଇ ହେବନି ହ୍ଵାଟ୍‌ସଆପ୍‌ ବାର୍ତ୍ତା; ବାର୍ତ୍ତା ଆପଣଙ୍କର ନା ଅନ୍ୟ କାହାର ପଡ଼ିଯିବ ଧରା

ନୂଆଦିଲ୍ଳୀ: ହ୍ଵାଟ୍‌ସଆପ୍‌ ଜରିଆରେ ବିଭିନ୍ନ ଗୁଜବ ଖବର ପ୍ରଚାର ହେବା ପରେ କମ୍ପାନି ପକ୍ଷରୁ ଏ ନେଇ ଏକ ସମାଧାନ ବାଟ ବାହାର କରାଯାଇଛି। ଏହି ନୂଆ ପରିକଳ୍ପନା ଜରିଆରେ ହ୍ଵାଟ୍‌ସଆପ୍‌ ଗ୍ରାହକମାନଙ୍କର ବିଶ୍ୱସନୀୟତାକୁ ବଜାୟ ରଖିବାର ପ୍ରୟାସ କରିଛି କମ୍ପାନି। ଏଣିକି ବ୍ୟବହାରକାରୀ ଏକକାଳୀନ ହ୍ଵାଟ୍‌ସ୍‌ଆପ୍‌ରେ ୫ରୁ ଊର୍ଧ୍ୱ ଅନ୍ୟ ବ୍ୟବହାରକାରୀ କିମ୍ବା ଗ୍ରୁପ୍‌କୁ ଗୋଟାଏ ଆଇଟମ୍‌(ଫଟୋ, ଭିଡିଓ, ଟେକ୍ସଟ୍‌) ପଠାଇପାରିବେ ନାହିଁ। ଏହି ଅଙ୍କୁଶ ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି।

ବୁଧବାର କମ୍ପାନି ପକ୍ଷରୁ ଜାଣିବାକୁ ମିଳିଛି ଯେ, ଏକକାଳୀନ ଅନେକ ଜଣଙ୍କୁ ବାର୍ତ୍ତା ପଠାଇବାର ସୁବିଧା ରହିଲେ ଗୁଜବ ଖବର ଖୁବ୍‌ ଶୀଘ୍ର ବ୍ୟାପୀ ପାରୁଛି। ଏହଛଡ଼ା କମ୍ପାନି ଖୁବ୍‌ ଜଲ୍‌ଦି ମେସେଜ୍‌ ପ୍ରେରଣ କରିବାର ଶୈଳୀ ବି ପରିବର୍ତ୍ତନ କରିବ ବୋଲି ସୂଚନା ପ୍ରଦାନ କରିଛି। ଏହି ନୂଆ ଶୈଳୀ ଦ୍ୱାରା ଜଣାପଡ଼ିଯିବ ଯେ ବାର୍ତ୍ତାଟି ଜଣେ ନିଜେ ଲେଖିକରି ପ୍ରେରଣ କରିଛି ନା ଅନ୍ୟ କାହାର ପଠାଯାଇଥିବା ବାର୍ତ୍ତାକୁ ଫରଓ୍ଵାର୍ଡ କରିଛି।