କର୍କଟ ରୋଗର ଉନ୍ନତ ଏବଂ ପ୍ରମାଣ-ଆଧାରିତ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରୁଛି ଏମ୍ସ ଭୁବନେଶ୍ବର

ଭୁବନେଶ୍ୱର,(ସୁକାନ୍ତ ରାଉତ): ଏମ୍ସ ଭୁବନେଶ୍ୱର ବାୟୋମେଡିକାଲ୍ ଗବେଷଣାକୁ ଉନ୍ନତ ଚିକିତ୍ସା ଏବଂ ପ୍ରମାଣ-ଆଧାରିତ ରୋଗୀ ସେବାରେ ପରିଣତ କରିବା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରୁଛି। ବିଶେଷ ଭାବରେ କର୍କଟ ରୋଗ, ସଂକ୍ରାମକ ରୋଗ, ଜନସ୍ୱାସ୍ଥ୍ୟ, ଅଣୁଜୀବ ବିଜ୍ଞାନ ଏବଂ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଅଧିକ ଗୁରୁତ୍ୱ ଦେଉଛି। ‘ଇନଫେକ୍ସିଅସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ’ (ଆଇଆର୍ଡିଏଲ୍), ‘ଆଡଭାନ୍ସଡ୍ ମାଇକୋଲୋଜି ଡାଇଗ୍ନୋଷ୍ଟିକ୍ ଆଣ୍ଡ ରିସର୍ଚ୍ଚ ଲାବୋରେଟୋରୀ’, ‘ଆଡଭାନ୍ସଡ୍ ମଲିକୁଲାର୍ ଅଙ୍କୋଲୋଜି ଡାଇଗ୍ନୋଷ୍ଟିକ୍ ସର୍ଭିସେସ୍’ (ଡିଆଇଏଏମ୍ଅନ୍ଡିଏସ୍) ଏବଂ ‘ବ୍ରେନ୍ ବ୍ୟାଙ୍କ’ (ମସ୍ତିଷ୍କ ବ୍ୟାଙ୍କ) ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ, ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ରୋଗୀମାନଙ୍କ ପାଇଁ ଉନ୍ନତ ସୁଲଭ ଚିକିତ୍ସା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ବିଶେଷଜ୍ଞ ଚିକିତ୍ସା ନିମନ୍ତେ ଦୂର ସହରକୁ ଯିବାର ଆବଶ୍ୟକତା ହ୍ରାସ ପାଇବ।

” ଅଭିନବ ଚିନ୍ତାଧାରା, ବ୍ୟାବହାରିକ ପ୍ରୟୋଗ ଓ ସୁସ୍ଥତା: ବାୟୋମେଡିକାଲ୍ କ୍ଷେତ୍ରରେ ଅଗ୍ରଗତି”, ବିଷୟବସ୍ତୁ ଉପରେ ଆୟୋଜିତ ଏମ୍ସ ଭୁବନେଶ୍ୱରର ୪ର୍ଥ ବାର୍ଷିକ ଗବେଷଣା ଦିବସ ଅବସରରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ ଉପରୋକ୍ତ ବିଷୟ ଉପରେ ଆଲୋକପାତ କରିଥିଲେ।
ଏମ୍ସ ଭୁବନେଶ୍ୱର ୨୦୨୫-୨୬ ଆର୍ଥିକ ବର୍ଷରେ ୧୮୭ ଟି ପ୍ରକଳ୍ପ ମାଧ୍ୟମରେ ଅତିରିକ୍ତ ଅନୁସନ୍ଧାନ ଅନୁଦାନରେ ୩୨.୨ କୋଟି ହାସଲ କରିପାରିଛି। ସେହିପରି ୨୦୨୬-୨୭ ରେ ବର୍ତ୍ତମାନ ସୁଦ୍ଧା ଏହା ୨୯ ଟି ପ୍ରକଳ୍ପ ମାଧ୍ୟମରେ ୧୦ କୋଟିରୁ ଅଧିକ ପାଇଛି। ଏହି ଜାତୀୟ ଅନୁଷ୍ଠାନ ବର୍ତ୍ତମାନ ୨୪ଟି ଅନ୍ତର୍ଜାତୀୟ, ଜାତୀୟ ଏବଂ ଆଞ୍ଚଳିକ ପାଣ୍ଠି ଏଜେନ୍ସି ଗୁଡ଼ିକ ସହଯୋଗରେ ଏକାଧିକ ଗବେଷଣା ଜାରି ରଖିଛି। ଏହା ଏମ୍ସର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଗବେଷଣା, ଅନୁସନ୍ଧାନ କ୍ଷମତା ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ପ୍ରକାଶ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ।
୪ର୍ଥ ଗବେଷଣା ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଇଆଇଟି ଭୁବନେଶ୍ବର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରକମଲ୍କର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍ସ କଲ୍ୟାଣୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଅରବିନ୍ଦ ସିହ୍ନା, ବିକାଶ ମନ୍ଥନ ଅଧ୍ୟକ୍ଷ ଏବଂ ଏଚ୍ପିଆଇ ଉପଦେଷ୍ଟା ଚାରୁଦତ୍ତ ପାଣିଗ୍ରାହୀ, ଏମ୍ସ ଭୁବନେଶ୍ବର ଡିନ୍(ଗବେଷଣା) ଡ. ବୈଜୟନ୍ତୀମାଳା ମିଶ୍ର, ଡିନ୍(ପରୀକ୍ଷା) ଡ. ମନସ୍ବିନୀ ମଙ୍ଗରାଜ, ଆସୋସିଏଟ୍ ଡିନ୍(ଗବେଷଣା) ଡ. ଗୌରବ ଛାବ୍ରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟଅତିଥି ପ୍ରଫେସର ଶ୍ରୀପଦ କରକମଲ୍କର ରୋଗୀ-କୈନ୍ଦ୍ରିକ ଗବେଷଣା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ନିମନ୍ତେ, ଦୃଢ଼ ସଂସ୍ଥାଗତ ଭାଗୀଦାରିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ବିଷୟଭିତ୍ତିକ, ବହୁ-ବିଷୟଭିତ୍ତିକ ଏବଂ ବିଷୟାତୀତ ଗବେଷଣା ନିମନ୍ତେ ଆହ୍ୱାନ ଦେଇଥିଲେ। ସମଗ୍ର ଦେଶରେ ସ୍ବାସ୍ଥ୍ୟସେବା ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଉପଯୁକ୍ତ ସମନ୍ବୟ ନିମନ୍ତେ ଆଇଆଇଟି ଏବଂ ଏମ୍ସ ଭଳି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ ଶ୍ରୀ କରକମଲକର।
ଅନ୍ୟତମ ଅତିଥି ଏମ୍ସ କଲ୍ୟାଣୀ ନିର୍ଦ୍ଦେଶକ ଡ. ସିହ୍ନା ଭାରତଭିତ୍ତିକ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଗବେଷଣା ତଥ୍ୟର ଆବଶ୍ୟକତା ଉପରେ ଜୋର ଦେବା ସହିତ, ଦେଶର ସ୍ୱତନ୍ତ୍ର ଜନସଂଖ୍ୟା ଗଠନ ଏବଂ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ପାଇଁ ଦେଶ ଭିତରେ ହିଁ ପ୍ରସ୍ତୁତ ହୋଇଥିବା ପ୍ରମାଣଭିତ୍ତିକ ତଥ୍ୟର ଆବଶ୍ୟକତା ଉପରେ ମତ ଦେଇଥିଲେ। ଶ୍ରୀ ପାଣିଗ୍ରାହୀ ଦେଶ ଗଠନରେ ଗବେଷଣା, ବିଶେଷକରି ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ଗବେଷଣାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଆୟୋଜିତ ଗବେଷଣା ପୋଷ୍ଟର ଉପସ୍ଥାପନାରେ ୧୪୦ ଜଣ ଅଂଶଗ୍ରହଣକାରୀ ଭାଗ ନେଇଥିଲେ। ଏହା ସହିତ “ଚିକିତ୍ସା ଗବେଷଣା କ୍ଷେତ୍ରରେ ଥିବା ବାଧାବିଘ୍ନ ଦୂରୀକରଣ: ପ୍ରତିବନ୍ଧକ, ନବସୃଜନ ଏବଂ ସୁଯୋଗ” ଶୀର୍ଷକ ଏକ ପ୍ୟାନେଲ୍ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ), ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ଦାଶ, ଏସଜିପିଜିଆଇଏମ୍ଏସ୍ ର ପୂର୍ବତନ ଡିନ୍ ପ୍ରଫେସର ରାମନାଥ ମିଶ୍ର, ଏମ୍ସ କଲ୍ୟାଣୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଅରବିନ୍ଦ ସିହ୍ନା, ଚାରୁଦତ୍ତ ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ଭାରତର ଗବେଷଣା ପରିବେଶକୁ ସୁଦୃଢ଼ କରିବା, ବିଭିନ୍ନ ବିଷୟ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖାଦେଉଥିବା ନୂତନ ଆହ୍ୱାନଗୁଡ଼ିକର ମୁକାବିଲା କରିବା ସମ୍ପର୍କରେ ସାରଗର୍ଭକ ଆଲୋଚନା ହୋଇଥିଲା।
ଏହି ଅବସରରେ ଉପସ୍ଥିତ ଅତିଥିମାନେ ଏମ୍ସ ଭୁବନେଶ୍ବର ‘ବାର୍ଷିକ ଗବେଷଣା ରିପୋର୍ଟ ୨୦୨୫-୨୬’ ଉନ୍ମୋଚନ କରିଥିଲେ। ସେହିପରି ଏମ୍ସ ଭୁବନେଶ୍ବର ‘ରିସର୍ଚ୍ଚ ଟକ୍’ ସଂକଳନର ଡିଜିଟାଲ୍ ଉନ୍ମୋଚନ କରିଥିଲେ ଅତିଥିବୃନ୍ଦ।