banner
Breaking

ଜଳଜୀବନ ମିଶନ କର୍ମଶାଳା। ୨0୨୪ରେ ପ୍ରତ୍ୟେକ ଘରକୁ ପାଣି।

0

ଭୁବନେଶ୍ୱର,୧୨ା୯: ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟଜଳ ପହଞ୍ଚାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି।
ସ୍ଥାନୀୟ ମେ’ ଫେୟାର ହୋଟେଲରେ ଅନୁଷ୍ଠିତ ଦୁଇଦିନିଆ ଜଳଜୀବନ ମିଶନ କର୍ମଶାଳାର ଗୁରୁବାର ଉଦ୍‌ଯାପନୀ ଦିବସରେ କେନ୍ଦ୍ରମନ୍ତ୍ରୀ ସିଂ ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ। ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ଶେଖାୱତ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଧାରଣର ମାନ ଉନ୍ନତ କରିବା ଲାଗି କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ପ୍ରତି ଗଁାକୁ ସଡ଼କ, ବିଦ୍ୟୁତ୍‌ ଯୋଗାଣ ସହ ପ୍ରତ୍ୟେକ ପରିବାରକୁ ଘର, ଶୌଚାଳୟ, ଗ୍ୟାସ୍‌ ଆଦି ସୁବିଧା ଯୋଗାଇଦେବା କାର୍ଯ୍ୟ ଜାରି ରହିଛି। ତେବେ ସବୁଠୁ ଅଧିକ ଜରୁରୀ ଆବଶ୍ୟକତା ହେଉଛି ପାନୀୟଜଳ। ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ପାନୀୟଜଳ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଜଳଜୀବନ ମିଶନ ଘୋଷଣା କରିଥିଲେ। ଏହାକୁ କିପରି ସୁନିଶ୍ଚିତ କରାଯିବ ସେଥିଲାଗି କାର୍ଯ୍ୟ ଆରମ୍ଭ ହୋଇଛି। ପାରମ୍ପରିକ ଭୂତଳ ଜଳର ସଂରକ୍ଷଣ ଓ ରିଚାର୍ଜ, ବର୍ଷାଜଳ ସଂରକ୍ଷଣ ଓ ପରିଚାଳନା, ବନୀକରଣ ଏବଂ ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏ ସବୁ ପ୍ରତି ଧ୍ୟାନ ଦେଲେ ପ୍ରତ୍ୟେକ ପରିବାର ପାଖରେ ସ୍ବଚ୍ଛ ପାନୀୟ ଜଳ ଉପଲବ୍ଧ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶେଖାୱତ ମତ ରଖିଥିଲେ।
ପୁରୀଠାରେ ଅନୁଷ୍ଠିତ ଜଳ ଜୀବନ ମିଶନର ପୂର୍ବାଞ୍ଚଳ କର୍ମଶାଳାରେ ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଆଣ୍ଡାମାନ ଏବଂ ନିକୋବର ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ସାମାଜିକ କର୍ମୀ ଏବଂ ଅନ୍ୟ ଅଂଶୀଦାରମାନେ ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.